ଟୋକିଓ: ଭାରତର ସ୍ବର୍ଣ୍ଣିମ ସଫଳତମ କ୍ରୀଡା ଯାତ୍ରାରେ ଆଜିର(ଅଗଷ୍ଟ ୧ ରବିବାର) ସନ୍ଧ୍ୟା ସ୍ବତନ୍ତ୍ର ହେବାକୁ ଯାଉଛି । ବିଜୟ ସଫଳତାର ଇତିହାସରେ ସାମିଲ ହେବ ତ ପରାଜୟ ସୁବର୍ଣ୍ଣ ସୁଯୋଗର ଅବଶୋଷ ହୋଇଯିବ । ଭାରତୀୟ ପୁରୁଷ ହକି ଟିମ ଅଲମ୍ପିକ ହକି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ମ୍ୟାଚ ଖେଳିବ । ଅନ୍ୟପଟେ ରିଓ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ପିଭି ସିନ୍ଧୁ ଟୋକିଓ ଅଲମ୍ପିକ ବ୍ୟାଡମିଣ୍ଟନ ସିଙ୍ଗଲ୍ସର ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବେ
ହକି କ୍ବାର୍ଟର ଫାଇନାଲରେ ଭାରତ ସାମ୍ନାରେ ରହିଛି ଗ୍ରେଟ ବ୍ରିଟେନ । ଗ୍ରେଟ ବ୍ରିଟେନ ଓ ଭାରତ ମଧ୍ୟରେ ହକି ପ୍ରତିନ୍ଦ୍ବନ୍ଦ୍ବୀତା ବେଶ ପୁରୁଣା । ଅଗଷ୍ଟ ୧୨, ୧୯୪୮ରେ ଅର୍ଥାତ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଭାରତ ସ୍ବାଧିନ ହେବାର ପ୍ରାୟ ୧ ବର୍ଷ ପରେ ବଲବୀର ସିଂହ ସିନିୟରଙ୍କ ନେତୃତ୍ବରେ ଲଣ୍ଡନରର ୱିମ୍ବଲେ ଷ୍ଟାଡିୟମରେ ଆୟୋଜକ ଟିମକୁ ୪-୦ରେ ହରାଇ ସ୍ବାଧୀନ ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲା । ଦେଶ ସ୍ବାଧିନ ହୋଇଥିବା ପବିତ୍ର ଦିନର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ Oi ଷ୍ଟାଡିୟମରେ ଦୁଇଟିମ କ୍ବାର୍ଟରଫାଇନାଲରେ ମୁହାଁମୁହିଁ ହେଉଛନ୍ତି ।
ହେଡ୍ ଟୁ ହେଡ---- ଭାରତ ବନାମ ଗ୍ରେଟ ବ୍ରିଟେନ:
- ଉଭୟ ଟିମ ଅଲମ୍ପିକରେ ୮ ଥର ମୁହାଁମୁହିଁ ହୋଇଛନ୍ତି ।
- ଭାରତ ୪ଟି ବିଜୟୀ ହୋଇଥିବାବେଳେ ୪ଟି ଡ୍ର ରହିଛି ।
- ଗ୍ରେଟ ବ୍ରିଟେନ ଅଲମ୍ପିକରେ ଭାରତକୁ ହରାଇବାରେ ସଫଳ ହୋଇନାହିଁ ।
- ଭାରତ ୧୮ଟି ଗୋଲ୍ କରିଥିବାବେଳେ ବ୍ରିଟିଶ ଟିମ ନାମରେ ରହିଛି ୧୩ଟି ଗୋଲ୍ ।
- ବିଶ୍ବ ହକି ମାନ୍ୟତାର ୩ନମ୍ବର ସ୍ଥାନରେ ରହିଛି ଭାରତ, ଅନ୍ୟପଟେ ୬ ନମ୍ବର ସ୍ଥାନରେ ରହିଛି ଗ୍ରେଟ ବ୍ରିଟେନ ।
ତିନିଥରର ଚମ୍ପିଆନ ଗ୍ରେଟ ବ୍ରିଟେନ ୧୯୮୮ ସିଓଲ ଅଲମ୍ପିକ ଠାରୁ ପଦକ ବିଜୟ ପୋଡିୟମ ଓ ସ୍ବର୍ଣ୍ଣ ପଦକ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ମନପ୍ରୀତ ସିଂହ ଆଣ୍ଡ କୋ ଭାରତର ୪୧ ବର୍ଷର ଅଲମ୍ପିକ ହକି ପଦକ ମରୁଡିକୁ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି । ଭାରତ ଶେଷ ତଥା ଅଷ୍ଟମ ସ୍ବର୍ଣ୍ଣ ପଦକ ୧୯୮୦ ମସ୍କୋ ଅଲମ୍ପିକରେ ହାସଲ କରିଥିଲା । ଏହାପରେ ତିନୋଟି ଦଶନ୍ଧି ବିତିଯାଇଥିଲେ ମଧ୍ୟ ଉଭୟ ଟିମ ପୂର୍ବ ଗୌରବକୁ ଦୋହରାଇବାରେ ବିଫଳ ହୋଇଛନ୍ତି । ମାତ୍ର ଏହି ଦିଗରେ ଏକ ଯାତ୍ରା ରବିବାର ସନ୍ଧ୍ୟାରେ ଆରମ୍ଭ କରିବେ ଦୁଇ ଟିମ ।