ଭୁବନେଶ୍ବର:ପୁରୁଷ ହକି ବିଶ୍ବକପର ୨୦୧୮ ସଂସ୍କରଣ ସଫଳତାର ସହ ଆୟୋଜନ ପରେ ବିଶ୍ବ ଦେଖିବ ମନ୍ଦିର ମାଳିନୀ ସହର ଭୁବନେଶ୍ବରରେ ସମ୍ମାନଜନକ FIH ପୁରୁଷ ଜୁନିଅର ହକି ବିଶ୍ବକପ ୨୦୨୧ ।
ଗୁରୁବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାରମନ୍ତ୍ରୀ ତୁଷାରକାନ୍ତି ବେହେରା, FIH ସଭାପତି ଡକ୍ଟର ନରିନ୍ଦର ଧ୍ରୁବ ବାତ୍ରା ଓ ହକି ଇଣ୍ଡିଆ ସମ୍ପାଦକ ରାଜିନ୍ଦର ସିଂହ ଉପସ୍ଥିତ ଥିଲେ ।
ଏହି ଘୋଷଣା ପରେ ସିନିୟର ପୁରୁଷ ହକି ଟିମ ଇଣ୍ଡିଆ କ୍ୟାପଟେନ ମନପ୍ରୀତ ସିଂହ ଶୁଭେଚ୍ଛା ଜଣାଇବା ସହ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏଥିସହିତ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ ଟିମକୁ ଶୁଭକାମନା ଜଣାଇଛନ୍ତି ।
ଅନ୍ତର୍ଜାତୀୟ ହକି କ୍ୟାଲେଣ୍ଡର ସୂଚୀ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟ ଖେଳାଯିବ । ମୋଟ ୧୬ଟି ଟିମଏ- ଭାରତ, କୋରିଆ, ମାଲେସିୟା, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ବେଲଜିୟମ, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ସ୍ପେନ, ଆମେରିକା, କାନାଡା, ଚିଲେ ଓ ଆର୍ଜେଣ୍ଟିନା ଏହି ବିଶ୍ବକପରେ ଭାଗ ନେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ