ଟୋକିଓ:ଦେଶକୁ ୪୧ ବର୍ଷରେ ପ୍ରଥମ ଅଲମ୍ପିକ ହକି ପଦକ ଦେଇଥିବା ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଭାବବିହ୍ବଳ ହେବା ସହ କୋରୋନାଯୋଦ୍ଧାଙ୍କୁ ପଦକ ଉତ୍ସର୍ଗ କରିଛନ୍ତି । COVID-19 ମହାମାରୀ ସମୟରେ ଦିନ ରାତି ଏକ କରି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଥିବା ଦେଶର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ବିଜୟ ଉତ୍ସର୍ଗ କରୁଛୁ ବୋଲି କହିଛନ୍ତି ମନପ୍ରୀତ ।
କୋରୋନା ଯୋଦ୍ଧାଙ୍କୁ ପଦକ ଉତ୍ସର୍ଗ କଲେ କ୍ୟାପଟେନ ମନପ୍ରୀତ ୨୯ ବର୍ଷୀୟ ଜଳନ୍ଧର ଖେଳାଳି ଜର୍ମାନୀ ବିପକ୍ଷରେ ୫-୪ ବିଜୟ ପରେ କିଛି କ୍ଷଣ ପାଇଁ "speechless" ହୋଇଯାଇଥିଲେ । ଏହା ଅଲମ୍ପିକରେ ଭାରତର ଦ୍ବାଦଶ ପଦକ, ମାତ୍ର ଏହା ପ୍ରାୟ ୪ ଦଶନ୍ଧି ପରେ ଆସିଛି । ଶେଷଥର ଭାରତ ୧୯୮୦ ମସ୍କୋର ଅଲମ୍ପିକରେ ପଦକ ବିଜୟ ପୋଡିୟମରେ ପହଞ୍ଚିଥିଲା ଓ ସ୍ବର୍ଣ୍ଣ ପଦକ ଜିତିଥିଲା । ଏଯାବତ ଭାରତ ନାମରେ ୮ଟି ସ୍ବର୍ଣ୍ଣ ପଦକ ରହିଛି ।
ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ମନପ୍ରୀତ କହିଛନ୍ତି, "ବର୍ତ୍ତମାନ କଣ କହିବାକୁ ହେବ ଚିନ୍ତା କରିପାରୁନି, ଏହା ଅବିଶ୍ବସନୀୟ ଅନୁଭବ । ଆମେ ୩-୧ରେ ପଛରେ ଥିଲୁ,ମାତ୍ର ପରିଶ୍ରମ ଓ ପ୍ରଦର୍ଶନ ବାସ୍ତବିକ ପ୍ରଶଂସନୀୟ ଥିଲା । ପଦକ ବିଜୟର ହକଦାର୍ ଥିଲୁ । ଆମେ କଠିନ ପରିଶ୍ରମ କରିଥିଲୁ, ଶେଷ ୧୫ ମାସ ବିଶେଷ ଭାବେ ଆହ୍ବାନପୂର୍ଣ୍ଣ ଥିଲା, ବାଙ୍ଗାଲୋରରେ ଥିବା ସମୟରେ ଏକାଧିକ ଖେଳାଳି COVID ସଂକ୍ରମିତ ମଧ୍ୟ ହୋଇଥିଲେ ।"
ଭାରତରେ ଅନେକ ଜୀବନ ବଞ୍ଚାଇଥିବା ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ପଦକ ଉତ୍ସର୍ଗ କରୁଛୁ । ପ୍ରତିପକ୍ଷ ଜର୍ମାନୀ ଟିମର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି ମନପ୍ରୀତ । "ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଲଢିଥିଲା ଜର୍ମାନୀ, ଶେଷ ୬ ସେକେଣ୍ଡ ବାକିଥିବାବେଳେ ପେନାଲିଟି କର୍ଣ୍ଣର ହାସଲ କରିଥିଲା । ଆମେ ଏହା ଭାବିଥିଲୁ, ଆମ ଜୀବନ ଦେଇଦେବୁ ମାତ୍ର ଏହାକୁ ବଞ୍ଚାଇବୁ । ଏହା ଅତ୍ୟନ୍ତ କଷ୍ଟ ଥିଲା । ବର୍ତ୍ତମାନ ଶବ୍ଦଶୂନ୍ୟ । "ଦୀର୍ଘ ଅନ୍ତର ପର୍ଯ୍ୟନ୍ତ ଆମେ ଅଲମ୍ପିକ ପଦକ ଜିତିପାରିନଥିଲୁ । ବର୍ତ୍ତମାନ ଆମେ ଆତ୍ମବିଶ୍ବାସ ଫେରିପାଇଛୁ । ଅଲମ୍ପିକ ପଦକ ବିଜୟ ପୋଡିୟମର ଆମେ ପହଞ୍ଚିପାରିବୁ, ଏହି ବିଶ୍ବାସ ହାସଲ କରିଛୁ "
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ