ବ୍ୟୁନସ ଆୟର୍ସ:ଆର୍ଜେଣ୍ଟିନା ମହିଳା ହକି-ବି ଦଳଠାରୁ 2-3 ଗୋଲରେ ପରାସ୍ତ ହୋଇଛି ଭାରତୀୟ ମହିଳା ସିନିୟର ହକି ଦଳ। ମ୍ୟାଚ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ପ୍ରଥମ କ୍ବାର୍ଟରରେ ହିଁ ଦଳ ପ୍ରଥମ ଗୋଲ ଦେଇ ମ୍ୟାଚରେ ଆଗୁଆ ରହିଥିଲା। ଆର୍ଜେଣ୍ଟିନା ବିପକ୍ଷରେ ଏହା ଭାରତର ଲଗାତାର ଦ୍ବିତୀୟ ପରାଜୟ।
ମ୍ୟାଚର ଷଷ୍ଠତମ ମିନିଟରେ ଭାରତୀୟ ଦଳର ସେଲିମା ଟେଟେ ପ୍ରଥମ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ଆକ୍ରାମକ ପ୍ରଦର୍ଶନ କରି ଆର୍ଜେଣ୍ଟିନାର ସୋଲ ପାଗେଲା 25ତମ ମନିଟରେ ଭାରତକୁ ଏକ ଗୋଲ ଦେଇଥିଲେ। ଏହାପରେ ପୁନଃ 38ତମ ମିନିଟରେ କୋଂସଟେନଜା ସେରୁଣ୍ଡୋଲୋ ଭାରତକୁ ଦ୍ବିତୀୟ ଗୋଲ ଦେଇଥିବା ବେଳେ ଆଗାଷ୍ଟିନା ଗୋଜେର୍ଲିନି ତତକ୍ଷଣାତ 39 ମିନିଟରେ ତୃତୀୟ ଗୋଲ ଦେଇଥିଲେ।
ଏହାପରେ ଭାରତ ମ୍ୟାଚରେ ପଛରେ ପଡ଼ି ଯାଇଥିଲା। 42 ତମ ମିନିଟ ଭାରତ ପକ୍ଷରୁ ଗୁରୁଜିତ କୌର ଆର୍ଜେଣ୍ଟିନା ବି ଦଳକୁ ଆଉ ଏକ ଗୋଲ ଦେଇଥିଲେ। ଏହି ସମୟରେ ଆର୍ଜେଣ୍ଟିନା ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରି ମ୍ୟାଚ ହାତେଇ ନେଇଥିଲା। ଏହାପୂର୍ବରୁ ଭାରତୀୟ ମହିଳା ହକି ସିନିଅର ଦଳ 1-2 ଗୋଲରେ ଆର୍ଜେଣ୍ଟିନା ଠାରୁ ପରାସ୍ତ ହୋଇଥିଲା ।