କୋଭିଲପଟ୍ଟି(ତାମିଲନାଡୁ): ଚଳିତ ଏକାଦଶତମ ହକି ଇଣ୍ଡିଆ ଜୁନିଅର ନ୍ୟାସନାଲ ଚାମ୍ପିଅନସିପ୍ରେ ଓଡିଶାର ବିଜୟ ଯାତ୍ରା ଜାରି । କ୍ବାର୍ଟର-ଫାଇନାଲ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ ସହ ହକି ବିହାରକୁ ୪-୧ ଗୋଲ୍ରେ ମାତ୍ ଦେଇ ସେମିଫାଇନାଲରେ ପ୍ରବେଶ କରିଛି ଟିମ ଓଡିଶା ।
ଚତୁର୍ଥ କ୍ବାର୍ଟର-ଫାଇନାଲ ମ୍ୟାଚ୍ର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରବଳ ଛକାପଞ୍ଝା ମଧ୍ୟରେ ଉଭୟ ଓଡିଶା ଓ ବିହାର ଗୋଲ୍ ସ୍କୋର୍ କରିପାରିନଥିଲେ । ତେବେ ମ୍ୟାଚ୍ର ୩୮ତମ ମିନିଟ୍ରେ ଓଡିଶା ପକ୍ଷରୁ ଅମନଦୀପ ଲାକ୍ରା ଏକ ଚମତ୍କାର ଗୋଲ୍ କରି ହକି ଆସୋସିଏସନ ଅଫ୍ ଓଡିଶାକୁ ୧-୦ରେ ଆଗୁଆ କରାଇଥିଲେ । ଏହାପରେ ସୁଶାନ୍ତ ଟପ୍ପୋ ୪୪ତମ ମିନିଟ୍ରେ ଦ୍ବିତୀୟ ଗୋଲ୍ କରିଥିଲେ । ମୋନୁ କୁମାର ହକି ବିହାର ପକ୍ଷରୁ ୫୦ତମ ମିନିଟ୍ରେ ଏକମାତ୍ର ଗୋଲ୍ କରିଥିଲେ । ମାତ୍ର ସୁଦୀପ ଚିରମାକୋ ୫୧ତମ ମିନିଟ୍ରେ ଓ ଶେଷ ମିନିଟ୍ରେ ଦୁଇଟି ଦମଦାର ଗୋଲ୍ ସହ ଓଡିଶାର ବିଜୟ ସୁନିଶ୍ଚିତ କରିଥିଲେ ।