ନୂଆଦିଲ୍ଲୀ:ଭେଟେରାନ ଫରୱାର୍ଡ ଓ ଷ୍ଟାର ଷ୍ଟ୍ରାଇକର ଏସଭି ସୁନୀଲଙ୍କୁ ସଫଳତମ ହକି କ୍ୟାରିୟର ପାଇଁ ଧନ୍ୟବାଦ ଜଣାଇଛି ହକି ଇଣ୍ଡିଆ । ଶୁକ୍ରବାର ହକିରୁ ଅବସର ଘୋଷଣା କରିଥିବା ସୁନୀଲଙ୍କର ରହିଥିଲା ୧୩ ବର୍ଷରୁ ଅଧିକ ସମୟର ସଫଳ ହକି କ୍ୟାରିୟର । ଏହାପରେ ସୁନୀଲଙ୍କ ନିକଟକୁ ଅବସରକାଳୀନ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି ।
"ଭାରତୀୟ ହକିକୁ ସେ ଦେଇଛନ୍ତି ଅନେକ ସ୍ମରଣୀୟ ପ୍ରଦର୍ଶନ । ଖେଳ ପ୍ରତି ପ୍ରତିବଦ୍ଧତା ଓ ଶୃଙ୍ଖଳିତ ଆଚରଣ ତାଙ୍କୁ ସମସ୍ତଙ୍କଠୁ ନିଆରା କରେ । ଆଗାମୀ ପିଢୀର ଯୁବ ହକି ଖେଳାଳିଙ୍କ ପାଇଁ ସୁନୀଲ ପ୍ରେରଣାର ଉତ୍ସ ହୋଇରହିବେ ।" ହକି ଇଣ୍ଡିଆ ସୁନୀଲଙ୍କ ଉଦ୍ଦେଶ୍ୟରେ ଏହା କହିବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛି ।
ଦୁଇ ଥରର ଅଲମ୍ପିଆନ (୨୦୧୨ ଓ ୨୦୧୬) ସୁନୀଲ, ପ୍ରାୟ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ଫରୱାର୍ଡ ୟୁନିଟ୍ର ପ୍ରମୁଖ ସଦସ୍ୟ ରହଥିଲେ ।
୨୦୧୧ ଏସିଆନ ଚମ୍ପିଆନ୍ସ ଟ୍ରଫି ସ୍ବର୍ଣ୍ଣ ବିଜେତା ଓ ୨୦୧୨ ଏସିଆନ ଚମ୍ପିଆନ୍ସ ଟ୍ରଫି ରୌପ୍ୟ ବିଜେତା ଭାରତୀୟ ଟିମର ସେ ପ୍ରମୁଖ ସଦସ୍ୟ ରହିଥିଲେ । ଅର୍ଜୁନ ଆୱାର୍ଡରେ ସମ୍ମାନିତ ସୁନୀଲ, ବର୍ଷ ୨୦୦୭ ଏସିଆ କପ୍ରେ ଅନ୍ତର୍ଜାତୀୟ ହକିରେ ଡେବ୍ୟୁ କରିଥିଲେ । ଏହି ସଂସ୍କରଣର ଏସିଆ କପ୍ରେ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଚମ୍ପିଆନ ହୋଇଥିଲା ।
୧୦୧୬ ଓ ୨୦୧୮ ସଂସ୍କରଣର FIH ଚମ୍ପିଆନ୍ସ ଟ୍ରଫିରେ ଐତିହାସିକ ରୌପ୍ୟ ପଦକ ବିଜୟରେ ତାଙ୍କର ବିଶେଷ ଭୂମିକା ରହିଥିଲା । ୨୦୧୫ ୱାର୍ଲ୍ଡ ଲିଗ୍ ଫାଇନାଲରେ ଭାରତର ବ୍ରୋଞ୍ଜ ବିଜୟ ଓ ୨୦୧୭ ସଂସ୍କରଣରେ ଭୁବନେଶ୍ବରରେ ଖେଳାଯାଇଥିବା ସମାନ ଇଭେଣ୍ଟରେ ବ୍ରୋଞ୍ଜ ବିଜୟରେ ମଧ୍ୟ ସେ ଟିମର ପ୍ରମୁଖ ସଦସ୍ୟ ଥିଲେ । ୨୦୧୪ କମନୱେଲଥ୍ ଗେମ୍ସରେ ରୋପ୍ୟ ବିଜେତା ଟିମରେ ମଧ୍ୟ ତାଙ୍କର ଭୁମିକା ସ୍ବତନ୍ତ୍ର ରହିଥିଲା ।
ଅବସରକାଳୀନ ବାର୍ତ୍ତାରେ ସୁନୀଲ, ହକି ଇଣ୍ଡିଆ, କୋଚ୍, ସାଥୀ ଖେଳାଳି, ପ୍ରଶଂସକ, ପରିବାର ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ