ଚଣ୍ଡିଗଡ: କୋରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି ପ୍ରଥମ ଏଫଆଇଏଚ ପ୍ଲେୟର ଅଫ ଦ ଇୟର ମନପ୍ରୀତ ସିଂହଙ୍କ ଦୁନିଆ । ଏଫଆଇଏଚ ହକି ପ୍ରୋ ଲିଗରେ ନିଜ ଟିମର ନେତୃତ୍ବ ନେଇ ବେଲଜିୟମ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଭଳି ଟିମକୁ ପରାସ୍ତ କରିଥିବା ମନପ୍ରୀତ ଏବେ ଅସହାୟ ଭାବେ ନିଜ ଟିମ ସହ ସ୍ପୋର୍ଟ୍ସ ଅଥୋରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ ସ୍ଥିତ ସେଣ୍ଟରରେ ଫସି ରହିଛନ୍ତି ।
ଏହି ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ଏହା ସମସ୍ତଙ୍କୁ ମାନସିକ ସ୍ତରରେ ପ୍ରଭାବିତ କରୁଛି ବୋଲି ମନପ୍ରୀତ କହିଛନ୍ତି । ବର୍ତ୍ତମାନ ଯେତେବେଳେ ଟୋକିଓ ଅଲମ୍ପିକ ଘୁଞ୍ଚାଇ ଦିଆଯାଇଛି ମନପ୍ରୀତ ଓ ତାଙ୍କ ଟିମକୁ ଧର୍ଯ୍ୟ ଧରି ଦୃଢ଼ ମନୋବଳ ସହ ଏହି ମାନସିକ ଯୁଦ୍ଧକୁ ହରାଇବାକୁ ହେବ ।
‘‘ଏପରି ପରିସ୍ଥିତି ଖୁବ ଚ୍ୟାଲେଞ୍ଜିଙ୍ଗ ହୋଇଥାଏ । ଜଣେ ଯେତେବେଳେ ଟିମ ପାଇଁ ଖେଳୁ ନଥାଏ ସେତେବେଳେ ବି ତାଙ୍କୁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡେ ନାହିଁ । କାରଣ ସେତେବେଳ ମଧ୍ୟ ସେ ରାଜ୍ୟର ଟିମ ଗୁଡିକ ପାଇଁ ଖେଳିବାର ସୁଯୋଗ ଥାଏ,’’ ବୋଲି କହିଛନ୍ତି ଭାରତୀୟ ହକି ଦଳର ଅଧିନାୟକ । ତେବେ ଦଳରେ ଏକ ସକାରାତ୍ମକ ମନୋଭାବ ବଜାୟ ରଖିଥିବାରୁ କୋଚିଂ ଷ୍ଟାଫଙ୍କୁ ଧନ୍ୟବାଦ ଦେଇଛନ୍ତି ମନପ୍ରୀତ ।