ଭୁବନେଶ୍ବର:ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ପୁରୁଷ ହକି ବିଶ୍ବକପ୍(Junior Hockey World Cup) ୨୦୨୧ର ଅସଲ ଲଢେଇ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ୧୬ଟି ଟିମ୍ରୁ ପୁଲ୍ ପର୍ଯ୍ୟାୟରେ ୮ଟି ଟିମ ବାଦ୍ ପଡିସାରିଛନ୍ତି ଓ କ୍ବାର୍ଟର-ଫାଇନାଲକୁ ୮ଟି ଟିମ ଉନ୍ନୀତ ହୋଇଛନ୍ତି । ପ୍ରଥମ ମ୍ୟାଚ୍ରେ ଫ୍ରାନ୍ସ ଠାରୁ ପରାଜୟ ସତ୍ତ୍ବେ ଡିଫେଣ୍ଡିଂ ଚମ୍ପିଆ ଟିମ ଇଣ୍ଡିଆ ଗ୍ରୁପ୍ ବି'ର ଶେଷ ମ୍ୟାଚ୍ରେ ପୋଲାଣ୍ଡ ବିପକ୍ଷରେ ୮-୨ରେ ବିଜୟ ସହ ଦମଦାର କରିଛି ଓ କ୍ବାର୍ଟର ଟିକେଟ ହାତେଇଛି । ତେବେ କ୍ବାର୍ଟରରେ ଭାରତକୁ ବେଲଜିୟମ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ହେବ ।
ନକଆଉଟ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ମୁଖ୍ୟ କୋଚ୍ ଗ୍ରାହାମ ରେଡ୍ କହିଛନ୍ତି, "ବୁଧବାର ବେଲଜିୟମ (Belgium) ବିପକ୍ଷରେ ଅସଲ ଲଢେଇ ହେବ । ଏଯାବତ ଟିମ ଖେଳିଥିବା ପ୍ରତ୍ୟେକ ମ୍ୟାଚ୍ରୁ ଶିକ୍ଷା ଲାଭ କରିଛି ଓ ତ୍ରୁଟିକୁ ସୁଧାରି ଅଧିକ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିଛି । ଶେଷ ଦୁଇଟି ମ୍ୟାଚ୍ରେ ଆଶାନୁରୂପ ପ୍ରଦର୍ଶନ ରହିଛି ମାତ୍ର ଅସଲ ପରୀକ୍ଷା ଆସନ୍ତାକାଲି ବେଲଜିୟମ ବିପକ୍ଷରେ ହେବ ।"
କ୍ବାର୍ଟର-ଫାଇନାଲ ମୁକାବିଲାରେ ଭାରତୀୟ ଟିମର ରଣନୀତି ନେଇ କୋଚ୍ ରେଡ୍ କହିଛନ୍ତି, "ଡିଫେନ୍ସ ଜୋର ଲଗାଇବା ରଣନୀତ ରହିବ ଏଥିସହ ଭଲ ଆରମ୍ଭ ଲକ୍ଷ୍ୟ ରହିବ । ପେନାଲିଟି କର୍ଣ୍ଣର ବୁଧବାର ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇପାରେ । ଫଳରେ ପେନାଲିଟି କର୍ଣ୍ଣର ଉପରେ ଅଭ୍ୟାସସମୟରେ ବିଶେଷ ଧ୍ୟାନ ଦିଆଯାଇଛି ।"