ନୂଆଦିଲ୍ଲୀ:ଭାରତୀୟ ପୁରୁଷ ହକି ଟିମ ୪୧ ବର୍ଷ ପରେ ଇତିହାସ ରଚିବା ସହ ଟୋକିଓ ଅଲମ୍ପିକରେ ପଦକ ବିଜେତା ହୋଇଛି । ଏହାପରେ ହକି ଖେଳ ଚର୍ଚ୍ଚାରେ ରହିଛି । ଏହାମଧ୍ୟରେ ହକିର ଯାଦୁକର ଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କ ନାମ ମଧ୍ୟ ଚର୍ଚ୍ଚାର ଶୀର୍ଷରେ ରହିଛି । ଏହାମଧ୍ୟରେ ପୁଣି ମେଜର ଧ୍ୟାନଚାନ୍ଦଙ୍କୁ ସର୍ବୋଚ୍ଚ ସମ୍ମାନ 'ଭାରତ ରତ୍ନ' ଦେବାକୁ ଦାବି ହୋଇଛି । ଅନେକ ଥର ଏହି ଦାବି ଉଠିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଇଟିଭି ଭାରତରେ ପ୍ରତିକ୍ରିୟା ରଖି ଧ୍ୟାନଚାନଙ୍କ ପୁଅ କହିଛନ୍ତି, "ଏହି ସମ୍ମାନ ଦେଶବାସୀଙ୍କର ହେବ, ଯେଉଁମାନେ ତାଙ୍କର ଖେଳକୁ ଭଲପାଆନ୍ତି ତାଙ୍କର ହେବ ।"
ମେଜର ଧ୍ୟାନଚାନ୍ଦଙ୍କ ପୁଅ ତଥା ହକି ଖେଳାଳି ଅଶୋକ କୁମାର କହିଛନ୍ତି, " ବର୍ଷ ୨୦୧୨ରେ ଭାରତ ରତ୍ନ ଦିଆଯିବା ନେଇ ନିୟମରେ ପରିବର୍ତ୍ତନ କରାଯାଇ ସେଥିରେ ଖେଳାଳିଙ୍କୁ ମଧ୍ୟ ସାମିଲ କରାଗଲା । ସେହି ସମୟର ଖେଳ ମନ୍ତ୍ରୀଙ୍କ ଦ୍ବାରା ଧ୍ୟାନଚାନ୍ଦଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା ।" ଏଥିସହ ସେ କହିଛନ୍ତି, ବିଶନ ସିଂହ ବେଦୀଙ୍କ ନେତୃତ୍ବରେ ଏକ କମିଟି ଜୁଲାଇ ୨୦୧୩ରେ ଖେଳ ମନ୍ତ୍ରୀଙ୍କୁ ଭେଟି ମେଜର ଧ୍ୟାନଚାନ୍ଦଙ୍କ ବାୟୋଡାଟା ଦିଆଯାଇଥିଲା ଓ ଭାରତ ରତ୍ନ ଦେବାକୁ ଦାବି କରାଯାଇଥିଲା ।