ଢାକା(ବାଂଲାଦେଶ): ଚଳିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ନାମେଣ୍ଟର ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ତଥା ଅଲମ୍ପିକ୍ ବ୍ରୋଞ୍ଜ ପଦକ ବିଜୟୀ ହକି ଟିମ ଇଣ୍ଡିଆ ପରାସ୍ତ । ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ୩-୫ ଗୋଲ୍ରେ ଜାପାନ ଠାରୁ ପରାସ୍ତ ହୋଇଛି ଭାରତ ।
ଏହି ମ୍ୟାଚ୍ ପୂର୍ବରୁ ଭାରତ ବିଜେତା ଦାବିଦାର ରହିଥିଲା । କାରଣ ପୂର୍ବରୁ ଚଳିତ ଟୁର୍ନାମେଣ୍ଟରେ ଜାପାନକୁ ଶେଷ ରାଉଣ୍ଡ ରବିନ ମ୍ୟାଚ୍ରେ ୬-୦ ବ୍ୟବଧାନରେ ଏକତରଫା ହରାଇଥିଲା ଭାରତ । ମାତ୍ର ଜାପାନ ଖେଳାଳି ଏହି ପରାଜୟର ବଦଲା ସେମିଫାଇନାଲରେ ନେବାସହ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
ମଙ୍ଗଳବାର ସଂପୂର୍ଣ୍ଣ ଭିନ୍ନ ଟିମ ଭାବେ ନଜର ଆସିଥିଲା ଜାପାନ । ମ୍ୟାଚ୍ ଆରମ୍ଭରୁ ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ ଉପରେ ଲଢୁଆ ଡିଫେନ୍ସ ଓ ଆକ୍ରମଣାତ୍ମକ ରଣନୀତିରେ ଆକ୍ରମଣ କରିଥିଲା । ମ୍ୟାଚ୍ର ପ୍ରଥମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଜରିଆରେ ସୋଟା ୟାମଦା ଗୋଲ୍ କରିଥିଲେ । ଏହାପରେ ଦ୍ବିତୀୟ ମିନିଟ୍ରେ ମଧ୍ୟ ରାଇକି ଫୁଜିସିମା ଫିଲ୍ଡ ଚମତ୍କାର ଗୋଲ୍ କରିଥିଲେ । ୟୋସିକି କ୍ରିଷିତା ୧୪ତମ ଓ କୋସେଇ କାୱାବେ ୩୫ତମ ମିନିଟ୍ରେ ଗୋଲ୍ କରିଥିଲେ । ପରେ ୪୧ତମ ମିନିଟ୍ରେ ପଞ୍ଚମ ଗୋଲ୍ କରିଥିଲେ ରୟୋମା ଓକା ।
ଏହାମଧ୍ୟ ପଢନ୍ତୁ: Asian Champions Trophy Hockey: ପାକିସ୍ତାନକୁ 3-1ରେ ହରାଇଲା ଭାରତ