ହାଇଦ୍ରାବାଦ: ସଫଳତାର ରାସ୍ତା ସର୍ବଦା ସହଜ ହୋଇନଥାଏ । ଆସିଥାଏ ଅନେକ ବାଧାବିଘ୍ନ । ତେବେ ନିରନ୍ତର ପ୍ରୟାସ ସହ ନିଷ୍ଠାର ସହ କାର୍ଯ୍ୟ ସଂଘର୍ଷକୁ ଜାରି ରଖିବାରେ ହୋଇଥାଏ ସହାୟକ । ଏ ସବୁକୁ ଅତିକ୍ରମ କରିଛନ୍ତି ଭାରତୀୟ ମହିଳା ଫୁଟବଲ ଦଳର ଖେଳାଳି ଓଇନମ ବେମବେମ ଦେବୀ । ମଣୀପୁରର ରାଜଧାନୀ ଇମ୍ଫାଲରେ ବର୍ଷ 1980 ଏପ୍ରିଲ 4ରେ ତାଙ୍କର ଜନ୍ମ । ତେବେ ଛୋଟିଆ ସହରର ଝିଅଟିଏ ଶହେ କୋଟିରୁ ଅଧିକ ଭାରତୀୟଙ୍କ ଭଲପାଇବାକୁ ପାଥେୟ କରି ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଆନ୍ତି ।
ଏହାପରେ ପ୍ରତିପକ୍ଷ ଟିମର ଗୋଲପୋଷ୍ଟ ହୋଇଯାଏ ବେମବେମ ଦେବୀଙ୍କ ଲକ୍ଷ୍ୟ । ଫୁଟବଲ ଗ୍ରାଉଣ୍ଡରେ ତାଙ୍କର ଦମଦାର ପ୍ରଦର୍ଶନ ତାଙ୍କୁ ‘ଭାରତୀୟ ଫୁଟବଲର ଦୁର୍ଗା’ ଭାବେ ନାମିତ କରେ ।ନିକଟରେ ସେ ପ୍ରଥମ ମହିଳା ଭାବେ ଭାରତୀୟ ମହିଳା ଲିଗରେ ମ୍ୟାନେଜର ନିଯୁକ୍ତ ହୋଇଛନ୍ତି । ଏଥିସହିତ ସେ ଦେଶରେ ଭାରତୀୟ ଫୁଟବଲର ପ୍ରସାର ଦିଗରେ କାମ କରୁଛନ୍ତି ।
ବର୍ଷ 1988ରେ ସେ ପ୍ରଥମେ ଫୁଟବଲ କ୍ୟାରିୟର ଆରମ୍ଭ କରନ୍ତି । ପରେ ସେ 1991ରେ ନିଜ ରାଜ୍ୟ ମଣିପୁରର ପ୍ରତିନିଧିତ୍ବ କରନ୍ତି । ମାତ୍ର 11 ବର୍ଷ ବୟସରେ ବର୍ଷ 1993ରେ 13 ବର୍ଷରୁ କମ ସବ-ଜୁନିୟର ଫୁଟବଲ ଦଳରେ ସ୍ଥାନ ପକ୍କା କରନ୍ତି । 32ତମ ଜାତୀୟ ଗେମ୍ସ ପରେ ଆନ୍ଧ୍ରପ୍ରଦେଶ ମହିଳା ଫୁଟବଲ ଟିମର କ୍ୟାପଟେନ ହୁଅନ୍ତି । 1995ରେ ଏସିଆନ ମହିଳା ଚମ୍ପିଆନସିପରେ ଅନ୍ତର୍ଜାତୀୟ ଡେବ୍ୟୁ କରନ୍ତି ବେମବେମ ଦେବୀ । ଭାରତ ପାଇଁ ସେ 6ନଂ ଜର୍ସି ପରିଧାନ କରନ୍ତି ।
ନଜର ପକାନ୍ତୁ ଏହି ଷ୍ଟାର ମହିଳା ଫୁଟବଲ ଖେଳାଳିଙ୍କ ସଫଳତା ଉପରେ...
- ବର୍ଷ 2001ରେ AIFF ଶ୍ରେଷ୍ଠ ମହିଳା ଫୁଟବଲ ଖେଳାଳି ସମ୍ମାନ ।
- 13 ବର୍ଷ ପରେ ପୁଣି ଜିତନ୍ତି ଶ୍ରେଷ୍ଠ ମହିଳା ଫୁଟବଲ ଖେଳାଳି ସମ୍ମାନ ।
- ବର୍ଷ 2017ରେ ସମ୍ମାନଜନକ ଅର୍ଜୁନ ଆୱାର୍ଡରେ ହୋଇଛନ୍ତି ସମ୍ମାନିତ ।
- ଚଳିତ ବର୍ଷ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ହୋଇଛନ୍ତି ସମ୍ମାନିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ