ଦୋହା:ଫୁଟବଲ ଟିମ ଇଣ୍ଡିଆ ପାଇଁ ମଙ୍ଗଳବାର ହେବ କି ମଙ୍ଗଳମୟ ? ଏସିଆନ କପ୍ 2023 ଯୋଗ୍ୟତା ଅର୍ଜନ କରିବାକୁ ଭାରତ ପାଇଁ ରହିଛି ଶେଷ ସୁଯୋଗ । ସାମ୍ନାରେ ରହିଛି ଆଫଗାନିସ୍ତାନ ଚ୍ୟାଲେଞ୍ଜ । ଗତ ମ୍ୟାଚ୍ରେ କ୍ୟାପଟେନ ସୁନୀଲ ଛେତ୍ରୀଙ୍କ ଦମଦାର ପ୍ରଦର୍ଶନ ବଳରେ ବାଂଲାଦେଶକୁ ମାତ୍ ଦେଇ ଦୃଢ ଆତ୍ମବିଶ୍ବାସରେ ରହିଛି ଟିମ । ତେବେ ଗ୍ରୁପ ଇ'ରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ଆଫଗାନିସ୍ତାନକୁ ହରାଇବା ଲକ୍ଷ୍ୟରେ ଖେଳିବ ଭାରତ । ଏହା କହିଛନ୍ତି ଭାରତୀୟ ଟିମ୍ର ମୁଖ୍ୟ କୋଚ୍ ଇଗର ଷ୍ଟିମାକ ।
ଷ୍ଟିମାକ କହିଛନ୍ତି, ଜସିମ ବିନ ହମାଦ ଷ୍ଟାଡିୟମରେ ଭାରତ କୌଣସି ପରିସ୍ଥିତିରେ ଡ୍ର ପାଇଁ ଖେଳିବ ନାହିଁ । ରକ୍ଷଣାତ୍ମକ ନୁହେଁ ରଣନୀତି ଆକ୍ରମଣାତ୍ମକ ହେବ ବୋଲି ଔପଚାରିକ ପ୍ରି-ମ୍ୟାଚ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଷ୍ଟିମାକ । ବାଂଲାଦେଶ ବିପକ୍ଷରେ ବିଜୟ ଟିମକୁ ଆତ୍ମବିଶ୍ବାସ ଦେଇଛି । ମାତ୍ର ବାଂଲାଦେଶ ଠାରୁ ଆଫଗାନିସ୍ତାନ ଏକ ଭଲ ଟିମ୍ ।
"ନିଜ ଦେଶର ଜାତୀୟ ଟିମ୍ର ଜର୍ସି ପିନ୍ଧି ଖେଳିବା କୌଣସି ବି ଖେଳାଳିଙ୍କ ପାଇଁ ସର୍ବଶ୍ରେଷ୍ଠ ପ୍ରେରଣା, ଏହା ବିରାଟ ଦାୟିତ୍ବ ଦିଏ । କେତେ ବଡ ଜନସଂଖ୍ୟାର ଦେଶଙ୍କ ସପୋର୍ଟ ରହିଛି ଭାରତୀୟ ଖେଳାଳିମାନେ ଜାଣିଛନ୍ତି ।" ଭାରତୀୟ ଜର୍ସି ପିନ୍ଧିବାର ସୌଭାଗ୍ୟ 1.4 ବିଲିୟନ ଲୋକଙ୍କ ଗର୍ବିତ କରିବାକୁ ସୁଯୋଗ ଆଣିଛି ବୋଲି କହିଛନ୍ତି କୋଚ ଷ୍ଟିମାକ ।