କୋଲକାତା: ଏକ ବର୍ଷ ପରେ ପୁଣି ପଡ଼ିଆକୁ ଫେରିବ ଐତିହାସିକ ଡୁରାଣ୍ଡ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଗତବର୍ଷ ଏହି ଐତିହାସିକ ଲିଗକୁ ବାତିଲ କରିବାକୁ ପଡ଼ିଥିଲା । ବିଶ୍ବ ତୃତୀୟ ସର୍ବପୂରାତନ ଓ ଏସିଆର ସର୍ବପୁରାତନ ଟୁର୍ଣ୍ଣାମେଣ୍ଟ ହେଉଛି ଡୁରାଣ୍ଡ କପ । ୧୮୮୮ ମସିହାରୁ ଏହି ଲିଗ୍ ଆୟୋଜିତ ହୋଇ ଆସୁଛି ।
ବର୍ତ୍ତମାନ ସୁଦ୍ଧା ପୂର୍ବ ବଙ୍ଗଳା ଓ ମୋହନ ବାଗାନ କ୍ଲବ ସର୍ବାଧିକ ଏହି ଲିଗରେ ଚମ୍ପିଆନ ହୋଇଛି । ମୋଟ ୧୬ ଥର ଲେଖାଏଁ ଟାଇଟଲ ହାତେଇବାରେ ସକ୍ଷମ ହୋଇଛି ପୂର୍ବ ବଙ୍ଗଳା ଓ ମୋହନ ବାଗାନ । ତେବେ ୨୦୧୯ରେ ଗୋକୁଲମ କେରଳ ଡୁରାଣ୍ଡ କପ ଚମ୍ପିଆନ ଟାଇଟଲ ହାତେଇବାରେ ସଫଳ ହୋଇଥିଲା ।
ସେପ୍ଟେମ୍ବର ୫ ତାରିଖରୁ ପୁନଃ କୋଲକାତାରେ ଏହି ଫୁଟବଲ ଲିଗ୍ ଆରମ୍ଭ ହେବ । ଅକ୍ଟୋବର ୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଲିଗରେ ମୋଟ ୧୬ ଟି ଦଳ ଭାଗ ନେବେ ବୋଲି ଜଣା ପଡ଼ିଛି । ଏଥିରେ ଇଣ୍ଡିଆନ ସୁପର ଲିଗର ୧୨ ଟି କ୍ଲବ ସାମିଲ ହେବେ । ତା ସାଙ୍ଗକୁ ଆଇ-ଲିଗରୁ ୪ଟି କ୍ଲବ ଡୁରାଣ୍ଡ କପରେ ସାମିଲ ହୋଇ ଟାଇଟଲ ହାତେଇବାକୁ ପ୍ରୟାସ କରିବେ ।
ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଦିଲ୍ଲୀରେ ଆୟୋଜନ ହେଉଥିଲା । ତେବେ କୋଲକାତାକୁ ଡୁରାଣ୍ଡ କପ ସ୍ଥାନାନ୍ତର ହେବା ପରେ ଏହାର ଲୋକ ପ୍ରିୟତା କମିବାରେ ଲାଗିଛି ବୋଲି ଦିଲ୍ଲୀ ଫୁଟବଲ ସଂଘ ପକ୍ଷରୁ କୁହାଯାଉଛି । ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର ହେବେ ଦିଲ୍ଲୀ ଫୁଟବଲ ସଂଘକୁ ବହୁ କ୍ଷତି ସହିବାକୁ ପଡ଼ିଛି ବୋଲି ଆଲୋନଚା ହେଉଛି । କୋଲକାତା ଓ ଏହାର ଆଖପାଖ କେତେକ ଷ୍ଟାଡିୟମରେ ଡୁରାଣ୍ଡ କପ ଆୟୋଜନ ହେବ । ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଛଡ଼ା ଯିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ