ସୁନ୍ଦରଗଡ: ଆରମ୍ଭ ହେଲା ରାଜ୍ୟର ବହୁ ପ୍ରତିକ୍ଷୀତ ତଥା ସମ୍ମାନଜନକ ଫୁଟବଲ ଟୁର୍ଣ୍ଣାମେଣ୍ଟ ସାହାଣୀ କପ୍ । ଶନିବାର 61ତମ ସିନିୟର ପୁରୁଷ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିଆନସିପ ପ୍ରତିଯୋଗୀତା (ସାହାଣୀ କପ) ଉଦ୍ଘାଟିତ ହୋଇଛି । ପ୍ରତିଯୋଗୀତାର ପ୍ରଥମ ମ୍ୟାଚ ସୁନ୍ଦରଗଡ ଭବାନୀପୁର ସ୍ପୋର୍ଟସ ହଷ୍ଟେଲ ଫୁଟବଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ।
ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିବାସହ ଖେଳ ଆୟୋଜନ କରିଥିବା ଜିଲ୍ଲା କ୍ରୀଡା ସଂସଦର ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ।
କ୍ରୀଡା ପାଇଁ ସୁନ୍ଦରଗଡ ଜିଲ୍ଲା ସାରା ଦେଶ ଓ ବିଦେଶରେ ନାମ କରିଥିବାବେଳେ ଏହି ଅଞ୍ଚଳରୁ ଅନେକ ପ୍ରତିଭା ମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଥିବା କଥା ସେ କହିଛନ୍ତି । ତେବେ ଜିଲ୍ଲାର ଖେଳର ଉନ୍ନତି ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଏହି ପ୍ରତିଯୋଗୀତାର ସମସ୍ତ ଆବଶ୍ୟକତା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି ।