ପର୍ଥ: ଟି-୨୦ ବିଶ୍ବକପ୍ରେ ଜଲୱା ଦେଖାଇଲା ଜିମ୍ବାୱେ । ଏକ ରୋମାଞ୍ଚକର ମ୍ୟାଚ୍ରେ ପାକିସ୍ତାନକୁ ୧ ରନ୍ରେ ମାତ୍ ଦେଇଛି ଜିମ୍ବାୱେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଜିମ୍ବାୱେ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱକେଟ ବିନିମୟରେ ୧୩୦ ରନ୍ କରିଥିଲା ଜିମ୍ବାୱେ । ଜବାବରେ ପାକିସ୍ତାନ ୮ ୱିକେଟ ହରାଇ ୧୨୯ ରନ୍ ହିଁ କରିବାକୁ ସକ୍ଷମ ହୋଇପାରିଥିଲା । ଜିମ୍ବାୱେର ଅଲ୍ରାଉଣ୍ଡର ସିକନ୍ଦର ରାଜା ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଏହି ମ୍ୟାଚ୍ରେ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ସିକନ୍ଦର ରାଜା । ଗୋଟିଏ ବର୍ଷରେ ସେ ୭ ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପ୍ରଥମ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଜିମ୍ବାୱେ ଦଳ ପକ୍ଷରୁ ସିନ୍ ୱିଲିୟମ୍ସ ସର୍ବାଧିକ ୩୧ ରନ୍ କରିଥିଲେ । ଆଉ କୌଣସି ବ୍ୟାଟର ୨୦ ରନ୍ରୁ ଅଧିକ ସ୍କୋର୍ କରିପାରିନଥିଲେ । ଫଳରେ ଦଳ ୮ ୱିକେଟ ହରାଇ ୧୩୦ ରନ୍ ହିଁ କରି ପାରିଥିଲା । ପାକିସ୍ତାନ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ମହମ୍ମଦ ୱାସିମ ଜୁନିଅର ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ସଦାବ ଖାନ୍ ୩ଟି ୱିକେଟ ଅକ୍ତିଆର କରିଥିଲେ । ଫାଷ୍ଟ ବୋଲର ହାରିସ ରୌଫ ଗୋଟିଏ ୱିକେଟ ନେଇଥିଲେ ।