ହାଇଦ୍ରାବାଦ: ସରି ଆସୁଛି ବର୍ଷ 2023 । ହେଲେ ଏହି ବର୍ଷ ଅନେକ କ୍ରିକେଟରଙ୍କ ପାଇଁ ବେଶ ଶୁଭଙ୍କର ସାବ୍ୟସ୍ତ ହୋଇଛି । ବିଦାୟ ନେଉ ନେଉ ଅନେକ କ୍ରିକେଟରଙ୍କୁ କୋଟିପତି କରି ଦେଇଛି 2023 । କାରଣ ବର୍ଷର ଶେଷ ପର୍ଯ୍ୟାୟରେ ହୋଇଥିଲା ଆଇପିଏଲ୍ 2024 ପାଇଁ ମିନି ନିଲାମୀ ପ୍ରକ୍ରିୟା । ଗତ 19 ଡିସେମ୍ବରରେ ହୋଇଥିବା ଏହି ମିନି ଅକ୍ସନରେ ଅନେକ କ୍ରିକେଟରଙ୍କ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜ୍ । ଏଥିରେ ଅନେକ ଭାରତୀୟ ଓ ବିଦେଶୀ ଖେଳାଳିଙ୍କ ଉପରେ ବର୍ଷା ହୋଇଛି ଟଙ୍କା । ବର୍ଷ ଶେଷ ହେବା ପୂର୍ବରୁ କୋଟିପତି ହୋଇଥିବା ଏହି ଖେଳାଳିଙ୍କ ଉପରେ ନଜର ପକାନ୍ତୁ...
1- ମିଚେଲ୍ ଷ୍ଟାର୍କ: ଆଇପିଏଲ୍ 2024 ପାଇଁ ହୋଇଥିବା ନିଲାମୀ ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ଅଭିଜ୍ଞ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କଙ୍କ ପାଇଁ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ 24.75 କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି । କୋଲକାତା ନାଇଟ୍ ରାଇଡର୍ସ ବ୍ୟତୀତ ଗୁଜରାଟ ଟାଇଟାନ୍ସ ମଧ୍ୟ ଷ୍ଟାର୍କଙ୍କୁ ନିଜ ସହିତ ନେବା ପାଇଁ ଭରପୁର ଚେଷ୍ଟା କରିଥିଲା । ହେଲେ ଶେଷରେ କୋଲକାତା ଏହି ରେସ୍ରେ ଜିତି ଷ୍ଟାର୍କଙ୍କୁ ନିଜ ଦଳରେ ଯୋଡ଼ିଥିଲା । ତେବେ 24.75 କୋଟି ଟଙ୍କାରେ ବିକ୍ରି ହୋଇଥିବା ଷ୍ଟାର୍କ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।
2- ପ୍ୟାଟ୍ କମିନ୍ସ: ଅଷ୍ଟ୍ରେଲିଆର ବିଶ୍ବ ବିଜେତା ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଉପରେ ମଧ୍ୟ ପ୍ରବଳ ଟଙ୍କା ବର୍ଷା ହୋଇଥିଲା । ଆଇପିଏଲ୍ ନିଲାମରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କମିନ୍ସଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଭରପୁର ଚେଷ୍ଟା କରିଥିଲେ । ଶେଷରେ ତାଙ୍କୁ 20.50 କୋଟି ଟଙ୍କାରେ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା ହାଇଦ୍ରାବାଦ । ସେ ଆଇପିଏଲ୍ ଇତିହାସରେ ଦ୍ବିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି ।
3- ଡାରିଲ୍ ମିଚେଲ୍: ନ୍ୟୁଜିଲାଣ୍ଡର ବିସ୍ଫୋରକ ଅଲରାଉଣ୍ଡର ଡାରିଲ ମିଚେଲ୍ ଏଥର ଆଇପିଏଲ୍ରେ ଏମ୍ଏସ୍ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଜର୍ସିରେ ନଜର ଆସିବେ । 14 କୋଟି ଟଙ୍କାରେ ତାଙ୍କୁ ନିଜ ଦଳରେ ସାମିଲ କରିଛି ମାହିଙ୍କ ସିଏସ୍କେ । ଆରମ୍ଭରୁ ଏହି ଖେଳାଳିଙ୍କୁ ନେବା ପାଇଁ ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ଭରପୁର ପ୍ରୟାସ କରିଥିଲେ । ହେଲେ ଶେଷରେ ଚେନ୍ନାଇ ବାଜି ଜିତିଥିଲା । ସେ ଆଇପିଏଲ୍ 2024 ପାଇଁ ହୋଇଥିବା ଅକ୍ସନରେ ତୃତୀୟ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।
4- ହର୍ଷଲ ପଟେଲ: ଅକ୍ସନ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ଆର୍ସିବି ରିଲିଜ୍ କରିଥିଲା । ହର୍ଷଲ ଏଥର ଅକ୍ସନରେ ସବୁଠାରୁ ଦାମୀ ଭାରତୀୟ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଏହି ଭାରତୀୟ ବୋଲରଙ୍କୁ ନିଜ ଦଳରେ ନେବା ପାଇଁ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଲାଗିଥିଲା ବିଡ୍ ଯୁଦ୍ଧ । ହେଲେ ଶେଷରେ 11.75 କୋଟି ଟଙ୍କାରେ ହର୍ଷଲଙ୍କୁ ନିଜ ସ୍କ୍ବାଡ୍ରେ ସାମିଲ କରିଥିଲା ପଞ୍ଜାବ ।
5- ଅଲଜାରୀ ଜୋଶେଫ: ୱେଷ୍ଟଇଣ୍ଡିଜ୍ର ଦ୍ରୁତ ବୋଲର ଅଲଜାରୀ ଜୋଶେଫଙ୍କ ପାଇଁ ମଧ୍ୟ ବିଭିନ୍ନ ଦଳ କ୍ରମାଗତ ଭାବେ ବିଡ୍ କରିଥିବା ଦେଖିବାକୁ ମିଳିଥିଲା । ଶେଷରେ 11.50 କୋଟି ଟଙ୍କାରେ ଅଲଜାରୀଙ୍କୁ ଆଇପିଏଲ୍ 2024 ପାଇଁ ନିଜ ଦଳରେ ସାମିଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହା ସହିତ ଆଇପିଏଲ୍ 2024 ପାଇଁ ହୋଇଥିବା ମିନି ଅକ୍ସନରେ ଅଲଜାରୀ 5ମ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଥିଲେ ।
6- ସମୀର ରିଜଭୀ: ଉତ୍ତର ପ୍ରଦେଶ ମେରଠର ସମୀର ରିଜଭୀ ଏଥର ଅକ୍ସନରେ ସବୁଠାରୁ ଦାମୀ ଅନ୍କ୍ୟାପଡ୍ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । କେବଳ 20 ଲକ୍ଷ ବେସ୍ ପ୍ରାଇସ୍ ଧାର୍ଯ୍ୟ କରି ଅକ୍ସନରେ ପହଞ୍ଚିଥିବା ରିଜଭୀଙ୍କୁ 8.50 କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍ । ଘରୋଇ କ୍ରିକେଟ୍ରେ ସମୀର ବଡ଼ ବଡ଼ ଛକା ଓ ଚୌକା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଇପିଏଲ୍ରେ ତାଙ୍କୁ ନିଜ ଦଳରେ ସାମିଲ କରିବାକୁ ବେଶ ଆଗ୍ରହ ଦେଖାଇଥିଲେ ବିଭିନ୍ନ ଫ୍ରାଞ୍ଚାଇଜ୍ ।