ହାଇଦ୍ରାବାଦ: ଶେଷ ପର୍ଯ୍ୟାୟରେ 2023 ବର୍ଷ । 2024ରେ ପୁଣି ଆରମ୍ଭ ହେବ ଭାରତୀୟ କ୍ରିକେଟ୍ର ନୂଆ ଏକ ଅଧ୍ୟାୟ । ତେବେ ଭାରତୀୟ କ୍ରିକେଟ୍ ପାଇଁ 2023 ଯେତିକି ଦୁଃଖ ଆଣି ଦେଇଥିଲା, ସେତିକି ଶୁଭଙ୍କର ମଧ୍ୟ ଥିଲା । 2023 ମସିହାରେ ଭାରତ ଦୁଇ ଦୁଇଟି ଆଇସିସି ଟ୍ରଫି ଜିତିବାର ସୁଯୋଗ ପାଇଲା । କିନ୍ତୁ ଫାଇନାଲରେ ପ୍ରବେଶ କରି ବି ଉଭୟ ଟ୍ରଫି ହାତଛଡ଼ା କଲା । ଅନ୍ୟପଟେ ଅନେକ ଯୁବ ପ୍ରତିଭାଙ୍କୁ ସର୍ବସମ୍ମୁଖକୁ ଆଣିଛି 2023 । ରିଙ୍କୁ ସିଂହଙ୍କଠାରୁ ଆରମ୍ଭ କରି ରବି ବିଷ୍ଣୋଇ ଓ ଯଶସ୍ବୀ ଜୟସ୍ବାଲଙ୍କ ପର୍ଯ୍ୟନ୍ତ । ଯୁବ କ୍ରିକେଟରମାନେ ସୁଯୋଗ ପାଇବା ସହ ସେମାନଙ୍କର ଶକ୍ତି ମଧ୍ୟ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲେ ।
ବିଶ୍ୱ ଦେଖିଲା ଭାରତୀୟ କ୍ରିକେଟ ଭବିଷ୍ୟତର ଝଲକ: 2023 ମସିହାରେ ଅନେକ ଯୁବ ପ୍ରତିଭା ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଲେ । କେବଳ ସ୍ଥାନ ପାଇଲେ ନାହିଁ, ସେମାନଙ୍କ ପ୍ରଦର୍ଶନ ସହିତ ସମସ୍ତଙ୍କ ହୃଦୟ ମଧ୍ୟ ଜିତିଥିଲେ । ଏହି ବର୍ଷ ସାରା ବିଶ୍ବ ଭାରତୀୟ କ୍ରିକେଟ୍ ଭବିଷ୍ୟତର ସମ୍ୟକ ଝଲକ୍ ଦେଖିବାକୁ ପାଇଲା । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି କିମ୍ବଦନ୍ତୀ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପରବର୍ତ୍ତୀ ପୀଢ଼ିଙ୍କ ପାଇଁ ଏକ ପ୍ରକାର ଦ୍ବାର ସଦୃଶ ଥିଲା 2023 । ଏହିପରି କିଛି ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନେ ଚଳିତ ବର୍ଷ ସେମାନଙ୍କର ପ୍ରଦର୍ଶନ ସହିତ ସମଗ୍ର ବିଶ୍ୱରେ ପ୍ରଶଂସକଙ୍କ ହୃଦୟ ଜିତିପାରିଛନ୍ତି ।
ଶୁଭମନ ଗିଲ୍: ଯଦିଓ ବହୁ ପୂର୍ବରୁ ଭାରତୀୟ କ୍ରିକେଟ୍ରେ ପଦାର୍ପଣ କରିସାରିଛନ୍ତି, ହେଲେ 2023 ଶୁଭମନ ଗିଲ୍ଙ୍କ ପାଇଁ ଏକ ଶୁଭଙ୍କର ବର୍ଷ ଥିଲା । ଏହି ବର୍ଷ ଗିଲ୍ ୨୯ଟି ଦିନିକିଆ ମ୍ୟାଚ୍ ଖେଳି ମୋଟ ୧୫୮୪ ରନ୍ ସ୍କୋର କରିଛନ୍ତି । ଏହାରି ଭିତରେ ତାଙ୍କ ବ୍ୟାଟରୁ 5 ଶତକ ଏବଂ 8 ଅର୍ଦ୍ଧଶତକ ମଧ୍ୟ ଆସିଥିଲା । ଏହା ବ୍ୟତୀତ ଗିଲ୍ ଆଇପିଏଲ୍ 2023ରେ ରନର୍ ଅପ୍ ଦଳ ପାଇଁ ମଧ୍ୟ ବେଶ ଦମଦାର ପ୍ରଦର୍ଶନ କରିଥିଲେ । ୧୭ଟି ଆଇପିଏଲ୍ ମ୍ୟାଚ୍ ଖେଳି ଗିଲ୍ ୮୯୦ ରନ୍ ସ୍କୋର କରିଥିଲେ । ଚଳିତ ବର୍ଷ ଦିନିକିଆରେ ଅଧିକାଂଶ କ୍ୟାଚ୍ ନେବାର ରେକର୍ଡ ମଧ୍ୟ ଗିଲ୍ ନିଜ ନାମରେ ରଖିଛନ୍ତି । ୨୦୨୩ ମସିହାରେ ଏବେ ପର୍ଯ୍ୟନ୍ତ ଶୁଭମନ ଗିଲ୍ ଭାରତ ପାଇଁ ମୋଟ ୨୪ଟି କ୍ୟାଚ୍ ନେବାରେ ସଫଳ ହୋଇଛନ୍ତି (ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆରମ୍ଭ ପୂର୍ବରୁ) ।
ଏହା ମଧ୍ୟ ପଢ଼ନ୍ତୁ...ଟିମ ଇଣ୍ଡିଆ ହାତ ପାହାନ୍ତାରୁ ଖସିଗଲା ବିଶ୍ବକପ ଟ୍ରଫି: ଭାଙ୍ଗିଥିଲା ସ୍ୱପ୍ନ, କାନ୍ଦିଥିଲା ଦେଶ
ରିଙ୍କୁ ସିଂହ: ଏମ୍ଏସ୍ ଧୋନୀଙ୍କ ପରେ ଏବେ ପର୍ଯ୍ୟନ୍ତ ଏକ ଭଲ ଫିନିସର ସନ୍ଧାନରେ ଥିବା ଭାରତୀୟ ଦଳକୁ 2023 ଦେଇଛି ଏକ ସୁବର୍ଣ୍ଣ ଭେଟି । ଆଇପିଏଲ୍ 2023ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ରିଙ୍କୁ ଶେଷ ଓଭରରେ ଶେଷ 5 ବଲରେ 5ଟି ଛକା ମାରି ଅଦ୍ଭୁତ ଭାବେ ନିଜ ଦଳକୁ ମ୍ୟାଚ୍ ଜିତାଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ମୁହୂର୍ତ୍ତଟି ରିଙ୍କୁ ସିଂହଙ୍କ କ୍ୟାରିୟରର ଏକ ମୋଡ଼ ବୋଲି ପ୍ରମାଣିତ ହେଲା । ଏହାପରେ ରିଙ୍କୁ ଚଳିତ ବର୍ଷ ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ । ଟି20ରେ ରିଙ୍କୁ ସିଂହ ନିଜର ବିସ୍ଫୋରକ ଆଭିମୁଖ୍ୟ ମଧ୍ୟ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲେ । ଏହା ବ୍ୟତୀତ ସେ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳି ଚର୍ଚ୍ଚାକୁ ଆସିଥିଲେ ।