ନୂଆଦିଲ୍ଲୀ:ଦୀର୍ଘ ଦିନର ଅପେକ୍ଷା ଅନ୍ତ ହେବାକୁ ଯାଉଛି । ଆଜିଠୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଆରମ୍ଭ ହେବ । ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଟାଇଟଲ ପାଇଁ ଲଢେଇ ହେବ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ମୈଦାନ ପ୍ରସ୍ତୁତ ଖେଳାଳି ବି ରେଡ୍ଡି । ରୋହିତଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଦୀର୍ଘ 10 ବର୍ଷ ପରେ ଏକ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟ୍ରଫି ହାସଲ କରିବାକୁ ଭାରତ ପାଖରେ ସୁଯୋଗ ରହିଛି । ଭାରତ ଶେଷ ଥର ପାଇଁ 2013ରେ ଚମ୍ପିଆନ ହୋଇଥିଲା । ସେବେଠୁ ଭାରତ 3ଟି ଫାଇନାଲ ଓ 4ଟି ସେମିଫାଇନାଲରେ ପରାସ୍ତ ହୋଇ ଆଇସିସି ଟ୍ରଫି ହାସଲରୁ ବଞ୍ଚିତ ହୋଇଛି । ଏହି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଜିତି ଆଇସିସି ଟ୍ରଫି ହାସଲ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଭାରତ ଏହି ଚମ୍ପିଆନସିପ ଜିତିଲେ ତାର ଆଇସିସି ଟ୍ରଫି ମରୁଡି ଦୂର ହେବ । ଅପରାହ୍ନ 3ଟାରୁ ଆରମ୍ଭ ହେବ ମ୍ୟାଚ ।
ଟେଷ୍ଟ କ୍ରିକେଟରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରର ସବୁଠୁ ବଡ ପ୍ରତିନ୍ଦ୍ବନ୍ଦୀ । ଅଷ୍ଟ୍ରେଲିଆ ମାଟିରେ ଭାରତ ଲଗାତାର 2 ଥର ବର୍ଡର-ଗାଭାସ୍କର ଟ୍ରଫି ଜିତିବା ପରଠୁ ସ୍ଥିତି ବଦଳି ଯାଇଛି । କଙ୍ଗାରୁ ଦଳ ଗର୍ବ ଭାଙ୍ଗିଛି । ମାତ୍ର ଡବ୍ଲୁଟିସି ଫାଇନାଲ ଦୁଇ ଦଳ ପାଇଁ ଭିନ୍ନ । ଉଭୟ ଦଳ ପ୍ରଥମ ଥର ଅଲଗା ଗ୍ରାଉଣ୍ଡରେ ପରସ୍ପରକୁ ଭେଟିବେ । ତେଣୁ ଏହି ମ୍ୟାଚରୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ନିକଟ ପ୍ରଦର୍ଶନକୁ ଦେଖିଲେ ଭାରତର ପଲ୍ଲା ଭାରି ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଶେଷ 4ଟି ଯାକ ଟେଷ୍ଟ ସିରିଜ ଜିତିଛି । ଘରୋଇ ଗ୍ରାଉଣ୍ଡରେ 2ଟି ଓ ଅଷ୍ଟ୍ରେଲିଆରେ 2ଟି ସିରିଜ ରହିଛି । ସମସ୍ତ ସିରିଜକୁ 2-1ରେ ବିଜୟୀ ହୋଇଥିଲା ଭାରତ ।
ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ରୋହିତଙ୍କ ନେତୃତ୍ବରେ ଦମଦାର ରଣନୀତି ସହ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ବିଶେଷ କରି ଦଳର ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେଙ୍କ ଉପରେ ନଜର ରହିବ । ଦୀର୍ଘ 18 ମାସ ପରେ ଟେଷ୍ଟ ଦଳକୁ ଫେରିଥିବା ରାହାଣେ 5ନମ୍ବରରେ ବ୍ୟାଟିଂ କରିବେ । ତେଣୁ ତାଙ୍କ ଉପରେ ଆଜି ନଜର ରହିବ । ସେହିପରି ରବୀନ୍ଦ୍ର ଜାଡେଜା ଦଳର ପ୍ରମୁଖ ଅଲରାଉଣ୍ଡରର ଭୂମିକା ତୁଲାଇବା ଏକପ୍ରକାର ସ୍ପଷ୍ଟ । ଭାରତର ବ୍ୟାଟିଂ ବିଭାଗକୁ ଯଦିଓ ଶକ୍ତିଶାଳୀ କୁହାଯାଇ ନପାରେ ମାତ୍ର ବୋଲିଂ ବିଭାଗ ସୁଦୃଢ ରହିଛି । ମହମ୍ମଦ ସାମି ଓ ମହମ୍ମଦ ସିରାଜ ପେସ ବିଭାଗ ସମ୍ଭାଳିବେ । ଉଭୟ ଭଲ ଫର୍ମରେ ରହିଛନ୍ତି ।
ଡବ୍ଲୁଟିସି ଫାଇନାଲ ପାଇଁ ଦୁଇ ଦଳ ଜୋରଦାର ରଣନୀତି ପ୍ରସ୍ତୁତି କରିଛନ୍ତି । ଐତିହାସିକ ଓଭାଲ ଗ୍ରାଉଣ୍ଡ ସହ ଅଷ୍ଟ୍ରେଲିଆ ବେଶ ପରିଚିତ । ଏଠାରେ ଦଳ 38ଟି ମ୍ୟାଚ ଖେଳି ସାରିଛି । ଭାରତ ତୁଳନାରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିଭାଗ ଶକ୍ତିଶାଳୀ ମନେ ହେଉଛି । ମାର୍ନସ ଲାବୁସାନା, ଷ୍ଟିଭେନ ସ୍ମିଥ, ଡେଭିଡ ୱାର୍ଣ୍ଣର, ଉସମାନ ଖୱାଜା, ଡ୍ରେଭିସ ହେଡ, କାମେରନ ଗ୍ରୀନଙ୍କୁ କଙ୍ଗାରୁ ଦଳର ବ୍ୟାଟିଂ ବିଭାଗ ବେଶ ସୃଦୁଢ ରହିଛି । ବୋଲିଂ ବିଭାଗ ମଧ୍ୟ ଭଲ ରହିଛି । ବିଶେଷ କରି ନାଥାନ ଲାୟନଙ୍କ ଉପରେ ନଜର ରହିବ ।