କଟକ:ମହିଳା ପ୍ରିମିୟର ଲିଗ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୭ ଓଡିଆ ଖେଳାଳି । ମାଧୁରୀ ମେହେଟ୍ଟା, ରୋସନାରା ଖାନ, କାଜଲ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଏସ.ବି ଲରେନ୍ସ, ସୁଜାତା ମଲ୍ଲିକ, ଓ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନଙ୍କ ନାମ ଏହି ନିଲାମୀ ପ୍ରକ୍ରିୟା ପାଇଁ ତାଲିକା ଭୁକ୍ତ ହୋଇଛି । ଚଳିତ ବର୍ଷ WPL 2023 ପାଇଁ 409 ଜଣ ଖେଳାଳି ତାଲିକା ଭୁକ୍ତ ହୋଇଛନ୍ତି । ସେଥିମଧ୍ୟରୁ 246 ଭାରତୀୟ ଖେଳାଳି ହୋଇଥିଲା ବେଳେ 163 ବିଦେଶୀ ଖେଳାଳି ରହିଛନ୍ତି । BCCI ପ୍ରଥମ ଥର ପାଇଁ ଏହି ମହିଳା ପ୍ରିମିୟର ଲିଗ ଆୟୋଜନ କରୁଛି । ଏହା ମାର୍ଚ୍ଚ 4 ରୁ 26 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ । ଏହି ପ୍ରିମିୟର ଲିଗରେ ମୋଟ 22 ଟି ମ୍ୟାଚ ଖେଳାଯିବ । ସେପଟେ ଓଡିଶା କ୍ରିକେଟ ସଙ୍ଘ ପାଇଁ ଏକ ଖୁସିର ଖବର । କାରଣ ପ୍ରଥମ ଥର ପାଇଁ BCCIର ଏହି ମେଗା ଆୟୋଜନରେ 7 ଓଡ଼ିଆ ମହିଳା କ୍ରିକେଟରଙ୍କ ନାମ ନିଲାମ ତାଲିକାରେ ସାମିଲ କରାଯାଇଛି ।
"ଏହି ଲିଗରେ ଯଦି କୌଣସି ପ୍ରାଞ୍ଚାଇଜ ଓଡ଼ିଆ କ୍ରିକେଟରମାନଙ୍କୁ କିଣନ୍ତି ତେବେ ନିଶ୍ଚୟ ତାହା OCA ପାଇଁ ଏକ ଗ୍ରୀନ ସିଗ୍ନାଲ ହେବ । କାରଣ WPLରେ ଅନେକ ଭାରତୟ ଓ ବିଦେଶୀ ଖେଳାଳି ନଜର ଆସିବେ । ସେମାନଙ୍କଠୁ ଶିଖିବା ଓ ମଇଦାନରେ ପାଳି ସମ୍ଭାଳିବା ପରେ ନିଶ୍ଚୟ ଟିମ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରି ପରିବେ ଏହି ମହିଳା କ୍ରିକେଟର । ବିଗତ ଦିନମାନଙ୍କରେ ଏହି 7 ଜଣ ଖେଳାଳି BCCIର ଘରୋଇ ମ୍ୟାଚରେ ଅନେକ ଭଲ ପ୍ରଦର୍ଶନ ଦେଖାଇ ସାରିଛନ୍ତି । ତେବେ ମହିଳା ପ୍ରିମିୟର ଲିଗ ପାଇଁ ଏହି ୭ ମହିଳା କ୍ରିକେଟରଙ୍କୁ ନେଇ ଅନେକ ଆଶା ରହିଛି," ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।