ମୁମ୍ବାଇ:ମହିଳା ପ୍ରିମିୟର ଲିଗରେ ଏ ପର୍ଯ୍ୟନ୍ତ ଅପରାଜେୟ ସାବ୍ୟସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ୟୁପି ୱାରିୟର୍ଜ ବିପକ୍ଷ ମୁକାବିଲାରେ ଦମଦାର ବିଜୟ ହାସଲ କରି ବିଜୟଧାରା ବଜାୟ ରଖିଛି ମୁମ୍ବାଇ । ଅଧିନାୟିକା ହର୍ମନପ୍ରୀତ କୌରଙ୍କ ଦ୍ରୁତତମ ଅର୍ଦ୍ଧଶତକ ବଳରେ ୟୁପି ୱାରିୟର୍ଜକୁ 8 ୱିକେଟରେ ପରାସ୍ତ କରି ଚତୁର୍ଥ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । 33 ବଲରେ ଅପରାଜିତ 53 ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ହର୍ମନପ୍ରୀତ କୌର ।
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ୟୁପି ୱାରିୟର୍ଜ ଅଧିନାୟିକା ଆଲିସା ହିଲି । ଦଳୀୟ ସ୍କୋର 58ରେ ଦଳର 2ଟି ୱିକେଟ ପତନ ହୋଇଥିଲା । ଓପନର ଦେବୀକା ବୈଦ୍ୟ 6 ଓ କିରଣ ନବଗିରି 17 ରନ କରି ଆଉଟ ହୋଇଥିଲେ । ଆଲିସା ହିଲି ତହଲିଆ ମ୍ୟାକଗ୍ରାଥଙ୍କ ସହ ମିଶି ବ୍ୟାଟିଂ ଜାରି ରଖିଥିଲେ । 17ତମ ଓଭରରେ ସାଇକା ଇସାକ ଉଭୟଙ୍କୁ ଆଉଟ କରିଥିଲେ । ଆଲିସା ହିଲି 46 ବଲରେ 58 ରନ କରିଥିଲେ । ମ୍ୟାକଗ୍ରା 50ରନ କରିଥିଲେ । ଏହାପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସିମରେନ ଶୈଖ ଅପରାଜିତ 9 ରନ କରି ଦଳୀୟ ସ୍କୋରକୁ 159ରେ ପହଞ୍ଚାଇଥିଲେ । ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ୟୁପି 6 ୱିକେଟ ହରାଇ 159 ରନ କରିଥିଲା । ମୁମ୍ବାଇକୁ 160 ରନର ବିଜୟ ଲକ୍ଷ୍ୟ ଦେଇଥିଲା ୟୁପି । ମୁମ୍ବାଇ ପକ୍ଷରୁ ଇସାକ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିଲେ ।