ମୁମ୍ବାଇ:ଆରମ୍ଭରୁ ଦମଦାର ଶେଷ ଆଡରୁ ବିଫଳ ହେବାରେ ଲାଗିଛି ମୁମ୍ବାଇ ଇଣ୍ଡିଆନ୍ସ । ଲଗାତାର 5ମ ବିଜୟ ପରେ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି ମୁମ୍ବାଇ । ଲାଗୁଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ କାହା ନଜର ଲାଗିଗଲା । ମହିଳ ଆଇପିଏଲରେ ଅନୁଷ୍ଠିତ ଦିଲ୍ଲୀ ଓ ମୁମ୍ବାଇ ମୁକାବିଲାରେ ବାଜି ମାରି ନେଇଛି ଦିଲ୍ଲୀ । 9 ୱିକେଟରେ ମୁମ୍ବାଇକୁ ପରାସ୍ତ କରି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ମେଗ ଲାନିଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ମାରିଜେନ କେପ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଏହା କ୍ରମାଗତ ଦ୍ବିତୀୟ ପରାଜୟ । ମୁମ୍ବାଇ ବିଜୟଧାରାରେ ବ୍ରେକ ଲଗାଇଥିଲା ୟୁପି । ଗତ ମାର୍ଚ୍ଚ 18 ତାରିଖରେ ଖେଳାଯାଇଥିବା ମୁକାବିଲାରେ ୟୁପି ମୁମ୍ବାଇକୁ 5 ୱିକେଟରେ ହରାଇଥିଲା ।
ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଦଳୀୟ ସ୍କୋର 10ରନରେ 3ଟି ୱିକେଟ ହରାଇଥିଲା । ୟାସ୍ତିକା ଭାଟିଆ 1, ହେଲି ମାଥ୍ୟୁସ 5ରନ ଓ ନାତାଲି ସ୍କିଭର ବ୍ରେଣ୍ଟ ଖାତା ଖୋଲି ନପାରି ସଅଳ ପାଭିଲିୟନ ଫେରିଥିଲେ । ମଧ୍ୟ ଭାଗରେ ବ୍ୟାଟିଂ ପାଇଁ ଆସିଥିବା ଅଧିନାୟିକା ହର୍ମନପ୍ରୀତ କୌର, ପୂଜା ବସ୍ତ୍ରାକାର ଓ ଇସି ୱିଙ୍ଗ ସ୍ଥିତି ସମ୍ଭାଳିଥିଲେ । ଦଳୀୟ ସ୍କୋର 109ରେ ପହଞ୍ଚିଥିଲା । ହର୍ମନପ୍ରୀତ 28, ପୂଜା 26, ୱଙ୍ଗ 23 ଓ ଅମନଜୋତ କୌର 29 ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମାରିଜେନ କେପ, ଶିଖା ପାଣ୍ଡେ ଓ ଜେସ ଜନାସେନ୍ 2ଟି ଲେଖାଏଁ ୱିକେଟ ନେଇଥିଲ । ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ 8 ୱିକେଟ ହରାଇ ମାତ୍ର 109 କରିଥିଲା । ମ୍ୟାଚ ଜିତିବାକୁ ଦିଲ୍ଲୀ ଆଗରେ 110ରନ ଛୋଟିଆ ବିଜୟ ଲକ୍ଷ୍ୟ ରହିଥିଲା ।