ମୁମ୍ବାଇ:ମହିଳା ପ୍ରିମିୟର ଲିଗର ଚତୁର୍ଥ ଦିନରେ ୟୁପି ୱାରିଅର୍ଜ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ୟୁପିର ତାହିଲିଆ ମ୍ୟାଗ୍ରାଥଙ୍କ ଦମଦାର ପାରି ବୃଥା ହୋଇଛି । 42 ରନରେ ୟୁପି କବଳରୁ ମ୍ୟାଚ ଛଡାଇ ଆଣ ବିଜୟ ହାସଲ କରିଛି ମେଗ ଲାନିଂଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ଏହାସହ ମହିଳା ପ୍ରିମିୟର ଲିଗରେ ଏହା ଦିଲ୍ଲୀର ଲଗାତାର ଦ୍ବିତୀୟ ବିଜୟ । ଅପରାଜିତ ଦମଦାର 42ରନ ଇନିଂସ ଖେଳିଥିବାରୁ ଦିଲ୍ଲୀର ଜେସ୍ ଜୋନସେନ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । 50 ବଲରେ ଅପରାଜିତ 90 ରନ କରିଥିବା ତାହିଲିଆ ମ୍ୟାଗ୍ରାଥ ପାୱାରଫୁଲ ଷ୍ଟ୍ରାଇକର ଅଫ୍ ମ୍ୟାଚ ପୁରସ୍କାର ପାଇଛନ୍ତି ।
ୟୁପି ୱାରିଅର୍ଜ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ୟୁପି । ଓପନର ମେଗ ଲାନିଙ୍ଗ ଓ ସେଫାଳି ବର୍ମା ଦମଦାର ଆରମ୍ଭ କରିଥିଲେ । ମ୍ୟାଗ୍ରାଥଙ୍କ ଶିକାର ହୋଇଥିଲେ ସେଫାଳି । 17ରନ କରି ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର 79ରେ ଦିଲ୍ଲୀର ପ୍ରଥମ ୱିକେଟ ପତନ ହୋଇଥିଲା । ମେଗ ଲାନିଙ୍ଗ ବ୍ୟାଟିଂ ଜାରି ରଖିଥିଲେ । 11 ତମ ଓଭରରେ ଦିଲ୍ଲୀ 100ରନ ପୂରଣ ହୋଇଥିଲା । ରାଜେଶ୍ବରୀ ଗାଏକ୍ବାର୍ଡ ମେଗ ଲାନିଙ୍ଗଙ୍କୁ ଆଉଟ କରିଥିଲେ । 42 ବଲରେ ଦିଲ୍ଲୀ ଅଧିନାୟିକା ମେଗ ଲାନିଙ୍ଗ 70ରନ (3ଟି ଛକା, 10ଟି ଚୌକା) କରି ଆଉଟ ହୋଇଥିଲେ । ଏହାପରେ ଆଲିସ କାପସେ 21 ରନ କରି ସାବନିମିସମେଲଙ୍କ ଶିକାର ହୋଇଥିଲେ । ନିର୍ଦ୍ଧାରିତ 20 ଓଭରରେ ଦିଲ୍ଲୀ 4 ୱିକେଟ ହରାଇ 211 ରନ କରିଥିଲା । ୟୁପିକୁ 212 ରନ ବିଜୟ ଲଷ୍ୟ ଦେଇଥିଲା । ମେଗ ଲାନିଙ୍ଗ 42 ବଲରେ 70 ରନ ଓ ଜେସ ଜୋନସେନ 20 ବଲରେ ଅପରାଜିତ 42 ରନ କରିଥିଲେ ।