ହାଇଦ୍ରାବାଦ:ଆଇସିସି କ୍ରିକେଟ ବିଶ୍ବକପ 2023 ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଶ୍ରୀଲଙ୍କା କ୍ରିକେଟ ଦଳ ଅକ୍ଟୋବର 7 ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । 1996ରେ ବିଶ୍ବ ବିଜୟୀ ହୋଇଥିବା ଶ୍ରୀଲଙ୍କା ଏଥର ବାଜି ମାରିବା ନେଇ ଦାବିବାର ନଥିଲେ ବି ଦଳ ପାଖରେ ଯଥେଷ୍ଟ କ୍ଷମତା ରହିଛି । 2011ରେ ଦଳ ଫାଇନାଲ ମ୍ୟାଚ ଖେଳିଥିଲା । ଏଥର ଦାସୁନ ଶନାକାଙ୍କ ନେତୃତ୍ବରେ ଦଳ ମୈଦାନ ଓହ୍ଲାଇବ । ୱାର୍ମ ଅଫ ମୁକାବିଲାରେ ବାଂଲାଦେଶ ଓ ଅଫଗାନିସ୍ତାନଠୁ ପରାସ୍ତ ହୋଇଥିଲା । ତେବେ ବିଶ୍ବକପ ନେଇ ଦଳ ପାଖରେ କଣ ସମାର୍ଥ୍ୟ, ଦୁର୍ବଳତା ଓ ସୁଯୋଗ ରହିଛି ଜାଣନ୍ତୁ ।
ସମାର୍ଥ୍ୟ:
ଅନୁଭବୀ ଖେଳାଳି: ଶ୍ରୀଲଙ୍କା କ୍ରିକେଟ ଦଳରେ ଦାସୁନ ଶାନାକା, କୁଶଲ ମେଣ୍ଡିସ ଏବଂ ଦିମୁଥ କରୁଣାରତ୍ନେଙ୍କ ଭଳି ଅନୁଭବୀ ଅଭିଜ୍ଞ ଖେଳାଳି ରହିଛନ୍ତି । ଯିଏକି ଦଳରେ ସ୍ଥିରତା ଆଣିପାରିବେ । ଏହି ଖେଳାଳିଙ୍କ ପାଖରେ ନେତୃତ୍ବ ନେବାର କ୍ଷମତା ମଧ୍ୟ ରହିଛନ୍ତି । କୁଶଲ ମେଣ୍ଡିସ 112 ମ୍ୟାଚରେ 2 ଶତକ ଓ 25ଟି ଅର୍ଦ୍ଧଶତକରେ 3215 ରନ କିରଛନ୍ତି । ଦିମୁଥ କରୁଣାରତ୍ନେ ଜଣେ ଉଚ୍ଚକୋଟୀର ଖେଳାଳି । ସେ 44ଟି ଦିନିକିଆରେ ଗୋଟିଏ ଶତକ ଓ 11ଟି ଅର୍ଦ୍ଧଶତକରେ 1301 ରନ କରିଛନ୍ତି ।
ଅଲରାଉଣ୍ଡର ଖେଳାଳି: ଶ୍ରୀଲଙ୍କା କ୍ରିକେଟ ଟିମରେ ଦମଦାର ଅଲରାଉଣ୍ଡର ପ୍ଲେୟାର ରହିଛନ୍ତି । ଧନଞ୍ଜୟ ଡି ସଲଭାଙ୍କ ଭଳି ଖେଳାଳି ଯିଏକି ବୋଲିଂ ଓ ବ୍ୟାଟିଂରେ ଦକ୍ଷ । ସେ ଦଳରେ ସନ୍ତୁଳନ ରକ୍ଷା କରି ପାରନ୍ତି । ଏହାଛଡା ଏସିଆ କପରେ ଦମଦାର ପ୍ରଦର୍ଶନ କରିଥିବା ଦୁନିଥା ବେଲାଲଗେ ବିଶ୍ବକପରେ ଭାରତୀୟ ପିଚରେ ଘାତକ ସାବ୍ୟସ୍ତ ହୋଇପାରନ୍ତି ।
ପ୍ରତିଭାବାନ ଯୁବ ଖେଳାଳି:ପଥୁମ ନିଶଙ୍କା, ଚରିଥ ଅଶଲଙ୍କାଙ୍କ ଭଳି ଯୁବ ପ୍ରତିଭାବାନ ଖେଳାଳି ଶ୍ରୀଲଙ୍କା ଦଳରେ ରହିଛନ୍ତି । ପଥୁମ ନିଶଙ୍କା 41ଟି ମ୍ୟାଚ ଖେଳି 1396 ରନ କରିଛନ୍ତି । ସେଥିରେ 9ଟି ଅର୍ଦ୍ଧଶତକ ଓ 3ଟି ଶତକ ରହିଛି । ଚରିଥ ଅଶଲଙ୍କା ଏସିଆ କପ ସୁପର 4 ରାଉଣ୍ଡରେ ଭାରତ ବିପକ୍ଷରେ 4ଟି ୱିକେଟ ନେଇଛନ୍ତି । 50 ଓଭର ପର୍ମାଟରେ ତାଙ୍କର ଭଲ ରେକର୍ଡ ରହିଛି । ସେ 41 ମ୍ୟାଚ ଖେଳି 1272 ରନ କରିଛନ୍ତି ଯେଉଁଥିରେ ଗୋଟିଏ ଶତକ ଓ 9ଟି ଅର୍ଦ୍ଧଶତକ ରହିଛି ।
ଦୁର୍ବଳତା:
ପ୍ରଦର୍ଶନରେ ଅନିମିୟତତା: ଶ୍ରୀଲଙ୍କା ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିନାହିଁ । ଚାପ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ବଡ ଟୁର୍ଣ୍ଣାମେଣ୍ଟରେ ଟିମକୁ ଭଲ ପ୍ରଦର୍ଶନ କରି ନପାରିବା ଚିନ୍ତାର ବିଷୟ ହେବ ।