ମୁମ୍ବାଇ:ଭାରତରେ ଜାରି ରହିଛି କ୍ରିକେଟ ମହାକୁମ୍ଭ । ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ପରେ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇସିସି ବିଶ୍ବକପ ୨୦୨୩ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଚମକିଛନ୍ତି ଭାରତୀୟ ପେସ ବୋଲର ମହମ୍ମଦ ଶାମି । ଗତକାଲି (ବୁଧବାର) ସାମିଙ୍କ ଅବିଶ୍ବସନୀୟ ପ୍ରଦର୍ଶନ ବଳରେ ଭାରତ ସହଜରେ ଫାଇନାଲରେ ପ୍ରବେଶ କରିଛି । ଶାମି ଗତକାଲି ୭ଟି ୱିକେଟ ନେଇ ରେକର୍ଡ ସୃଷ୍ଟି କରିଛନ୍ତି । ସେମିରେ ଧମକାଦାର ପ୍ରଦର୍ଶନ ପରେ ତାଙ୍କ ରାଜ୍ ଖୋଲିଛନ୍ତି ପିଲାଦିନର କୋଚ୍ ।
ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ସ୍କ୍ବାଡରେ ଶାମିଙ୍କୁ ସ୍ଥାନ ମିଳିଥିଲା । ଏହାପରେ ଶାମି କାହାକୁ ନିରାଶ କରିନାହାନ୍ତି । ବରଂ ତାଙ୍କର ଅବିଶ୍ବସନୀୟ ପ୍ରଦର୍ଶନ ଟିମମେଟ୍ସ ସାଙ୍ଗକୁ କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଗତକାଲି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ପ୍ରଥମ ୪ଟି ୱିକେଟ ଶାମି ନେଇଥିଲେ । ଶାମି ବୋଲିଂ ପାଇଁ ଆସୁଥିବା ବେଳେ ଉତ୍ସାହିତ ହୋଇପଡ଼ିଥିଲେ ଦର୍ଶକ । ଏଭଳି ଭାବରେ ଶାମି ୭ଟି ୱିକେଟ ନେଇଥିଲେ । ତାଙ୍କ ଷ୍ଟ୍ରାଇକ ରେଟ ୧୦.୯ ରହିଥିଲା, ଯାହାକି ଅବିଶ୍ବସନୀୟ । ଗତକାଲି ଅନ୍ୟ ବୋଲର ଫେଲ୍ ମାରିଥିବା ବେଳେ ଶାମିଙ୍କ ୱିକେଟ ବେଶ ପ୍ରଭାଶାଳୀ ରହିଥିଲା ।
କାହିଁକି ପ୍ରଥମରୁ ମ୍ୟାଚ୍ ଖେଳିନଥିଲେ ଶାମି:-ଭାରତ ୮ ନମ୍ବରରେ ଜଣେ ଅଲରାଉଣ୍ଡରକୁ ଖେଳାଇବାକୁ ଚାହୁଁଥିଲା । ଫଳରେ ଟପ୍ ବ୍ୟାଟିଂ ଅର୍ଡର ଶୀଘ୍ର ଆଉଟ୍ ହେଲେ ସୁଦ୍ଧା ଦଳ ଉପରେ ଚାପ ଯେପରି ନ ପଡିବ । ଏହି ରଣନୀତି ଅନୁସାରେ ଅଶ୍ବିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସାମିଲ କରାଯାଇଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କୁ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ୍ରେ ଖେଳାଯାଇଥିଲା । ହେଲେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଟିମକୁ ରଣନୀତିରେ ପରିବର୍ତ୍ତନ କରିବାକୁ ପଡ଼ିଥିଲା । ଅଲରାଉଣ୍ଡର ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଟିମକୁ ଜଣେ ବ୍ୟାଟର ଓ ବୋଲରଙ୍କ ଆବଶ୍ୟକ ଥିଲା । ଏହି ମ୍ୟାଚରେ ଶାମିଙ୍କୁ ସ୍ଥାନ ମିଳିଥିବା ବେଳେ ସେ ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୫ଟି ୱିକେଟ କରି ସମସ୍ତଙ୍କୁ ତାଜୁବ କରିଥିଲେ ।