ମୁମ୍ବାଇ: ପ୍ରଶଂସକଙ୍କ ମନରେ ଭରିଲାଣି ଉତ୍କଣ୍ଠା । ଆଉ ଦିନ କେଇଟାର ଅପେକ୍ଷା । ଆରମ୍ଭ ହେବ ଦିନିକିଆ କ୍ରିକେଟ୍ ମହାକୁମ୍ଭ । ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ବିଶ୍ବକପ୍ ୨୦୨୩ । ଅକ୍ଟୋବର ୫ରୁ ଆରମ୍ଭ ହେବ ଏହି ହାଇ ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ । ହେଲେ ସମସ୍ତଙ୍କ ନଜର ରହିଛି ଅକ୍ଟୋବର ୧୫ରେ ହେବାକୁ ଥିବା ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ । କିନ୍ତୁ ଏହି ମ୍ୟାଚ୍ ତାରିଖ ନେଇ ଏହାରି ଭିତରେ ଏକ ବଡ଼ ଅପଡେଟ୍ ଆସିଛି । ଏହି ହାଇପ୍ରୋଫାଇଲ ମ୍ୟାଚ୍ର ତାରିଖ ପରିବର୍ତ୍ତନ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।
ରିପୋର୍ଟ ଅନୁସାରେ, ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ବକପ୍ ମ୍ୟାଚ୍ ତାରିଖରେ ପରିବର୍ତ୍ତନ ହୋଇପାରେ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ସୁରକ୍ଷା ଦୃଷ୍ଟିରୁ ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ର ତାରିଖରେ ପରିବର୍ତ୍ତନ ହୋଇପାରେ । ଏହି ମ୍ୟାଚ୍ରେ ଲକ୍ଷାଧିକ ଦର୍ଶକ ଷ୍ଟାଡିୟମରେ ରହିବେ । ଆଉ ଏଥିରେ ସୁରକ୍ଷା ବ୍ୟବସ୍ଥା ପାଇଁ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରିବାକୁ ପଡ଼ିବ । କିନ୍ତୁ ସେହିଦିନଠାରୁ ନବରାତ୍ରୀ ଆରମ୍ଭ ହେବାକୁ ଥିବାରୁ ଏତେ ପରିମାଣରେ ସୁରକ୍ଷାକର୍ମୀ କିମ୍ବା ପୋଲିସ ମୁତୟନ କରାଯାଇପାରିବ ନାହିଁ । କାରଣ ଗୁଜୁରାଟରେ ନବରାତ୍ରୀ ପୂଜା ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଥାଏ ଏବଂ ସେଠାରେ ମଧ୍ୟ ଅନେକ ସୁରକ୍ଷାକର୍ମୀଙ୍କର ଆବଶ୍ୟକତା ରହିଥାଏ । ସେଥିପାଇଁ ଆଗାମୀ ଦିନରେ ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲାର ତାରିଖ ବଦଳିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।