କୋଲକାତା:ଜାରି ରହିଛି କ୍ରିକେଟ ମହାକୁମ୍ଭ । ଆଫଗାନିସ୍ତାନ ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ବେଳେ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ଅର୍ଜନ କରୁଛି । ଲଗାତାର ଟିମ ୩ଟି ଶକ୍ତିଶାଳୀ ଟିମକୁ ଧୂଳି ଚଟାଇଛି । ଯାହାକୁ ନେଇ ଅନେକ କିମ୍ବଦନ୍ତୀ କ୍ରିକେଟର ଦଳକୁ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ଆଫଗାନିସ୍ତାନ ବ୍ୟାଟର୍ଙ୍କଠାରୁ ଟିମର ହେଡ୍ କୋଚ୍ ଜୋନାଥନ ଟ୍ରେଟ ଶତକ ଆଶା କରିଛନ୍ତି । ଟିମର ବ୍ୟାଟ୍ର ଆଗାମୀ ମ୍ୟାଚରେ ଶତକ ମାରନ୍ତୁ ବୋଲି ସେ କହିଛନ୍ତି ।
ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଆଫଗାନିସ୍ତାନ ବ୍ୟାଟର୍ ପ୍ରଥମେ ବ୍ୟାଟିଂ କରି ସମ୍ମାନଜନକ ୨୮୪ ରନ୍ କରିଥିଲେ । ଏହାପରେ ବୋଲର୍ମାନେ ଘାତକ ବୋଲିଂ କରିବା ଫଳରେ ଇଂଲିଶ ଦଳ ମାତ୍ର ୨୧୫ ରନ୍ରେ ଅଲଆଉଟ୍ ହୋଇଥିଲା । ଏହି ବିଜୟ ଦଳ ପାଇଁ ଏକ ସ୍ମରଣୀୟ ବିଜୟ ହୋଇଥିଲା । ଏହାପରେ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆଫଗାନିସ୍ତାନକୁ ଅନ୍ୟତମ ବିଶ୍ବକପ ଚାମ୍ପିଆନ ଟିମ୍ ପାକିସ୍ତାନକୁ ଭେଟିଥିଲା । ଏଠାରେ ମଧ୍ୟ ପାକିସ୍ତାନକୁ ଧରାଶାୟୀ କରିଥିଲା ଟିମ । ଆଫଗାନିସ୍ତାନ ୮ ୱିକେଟ ସହ ଆହୁରି ୬ଟି ବଲ୍ ଥିବା ୨୮୬ ରନ୍ ଟାର୍ଗେଟକୁ ପୂରଣ କରିଥିଲା ।
ଏହା ବି ପଢନ୍ତୁ- AFG Vs SL: ଏମିତି ଖାସ୍ ଥିଲା ରାସିଦଙ୍କ ୧୦୦ତମ ଦିନିକିଆ ମ୍ୟାଚ୍
ଏହି ମ୍ୟାଚ୍ରେ ବ୍ୟାଟର୍ ଇବ୍ରାହିମ ଜାଦରାନ ଦମଦାର ଅର୍ଦ୍ଧଶତକ (୮୭) ହାସଲ କରିଥିଲେ । ଶତକରୁ ସେ ମାତ୍ର ୧୩ ରନ୍ ଦୂରରେ ରହିଥିଲେ । ସେହିପରି ଅନ୍ୟତମ ବ୍ୟାଟର୍ ରହମତ ଶାହ ମଧ୍ୟ ୮୪ଟି ବଲ୍ ଖେଳି ୭୭ ରନ୍ କରିଥିଲେ । ତେବେ ଗତକାଲି (ସୋମବାର) ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ମଧ୍ୟ ଟିମ ଧରାଶାୟୀ କରିଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୧ରନ୍ କରିଥିବା ବେଳେ ଆଫଗାନିସ୍ତାନ ୪୫.୨ ଓଭର ସୁଦ୍ଧା ଟାର୍ଗେଟ ପୂରଣ କରି ୭ ୱିକେଟରେ ମ୍ୟାଚ୍ ଜିତିଥିଲା । ଏହାରି ସହିତ ଚଳିତ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ଦମଦାର ତୃତୀୟ ବିଜୟ ହାସଲ କରିଥିଲା ।
ଏହା ବି ପଢନ୍ତୁ-World Cup 2023: ପୁନେରେ ଫାରୁକି-ମୁଜିବ ମ୍ୟାଜିକ, ଶ୍ରୀଲଙ୍କାକୁ 7 ୱିକେଟରେ ହରାଇଲା ଆଫଗାନିସ୍ତାନ
ଚଳିତ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ଟିମ ଦମଦାର ପ୍ରଦର୍ଶନ କରୁଥିଲେ ସୁଦ୍ଧା ଏହାର କୌଣସି ବ୍ୟାଟ୍ର ଏଯାବତ ଶତକ ହାସଲ କରିପାରିନାହାନ୍ତି । ଏଥିଲାଗି ଦଳର ହେଡ୍ କୋଚ୍ ଜୋନାଥନ ଟ୍ରଟ୍ ବ୍ୟାଟରଙ୍କଠାରୁ ଶତକ ଆଶା କରିଛନ୍ତି । ଶ୍ରୀଲଙ୍କାଠାରୁ ବିଜୟ ହାସଲ କରିବା ପରେ ପ୍ରେସ କନଫରେନ୍ସରେ ଜୋନାଥନ କହିଛନ୍ତି, " ଏଯାବତ କୌଣସି ବ୍ୟାଟର ଶତକ ହାସଲ କରିପାରିନାହାନ୍ତି । ଏଣୁ ଦଳ ପାଇଁ ଏହା ଆଗାମୀ ଚ୍ୟାଲେଞ୍ଜ । କିଏ ବି ଏହି ଦାୟିତ୍ବ ନିର୍ବାହ କରୁ । ଆଉ ବାକି ଥିବା ୩ଟି ମ୍ୟାଚ୍ରେ ଯେକୌଣସି ବ୍ୟାଟରଙ୍କୁ ଦମଦାର ବ୍ୟାଟିଂ କରି ଶତକ ଆଣିବାର ଆବଶ୍ୟକତା ରହିଛି । "
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ