ହାଇଦ୍ରାବାଦ:ଆଇସିସି ପୁରୁଷ ବିଶ୍ବକପରେ ଆଜି 43ତମ ଲିଗ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ବାଂଲାଦେଶ । ହେଲେ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ଝଟକା । ଲିଗ ମ୍ୟାଚର ଶେଷ ମ୍ୟାଚ ଖେଳି ନପାରନ୍ତି ଗ୍ଲେନ୍ ମ୍ୟାକ୍ସୱେଲ୍ । ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଆଜିର ମ୍ୟାଚରୁ ବାଦ ପଡିପାରନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ବିସ୍ଫୋରକ ପାଳି ଖେଳି ସେ ଦମଦାର ଦ୍ବିଶତକ ହାସଲ କରି ଦଳକୁ ବିଜୟୀ କରିଥିଲେ । ଯାହାଫଳରେ ଅଷ୍ଟ୍ରେଲିଆ ସେମିକୁ ପ୍ରବେଶ କରିଥିଲା ।
ଗୋଡ଼ରେ କଷ୍ଟ ଅନୁଭବ କରୁଥିବାରୁ ଶୁକ୍ରବାର ଅଭ୍ୟାସ ମଧ୍ୟ କରିନଥିଲେ ଗ୍ଲେନ୍ ମ୍ୟାକ୍ସୱେଲ୍ । ଆଗକୁ ସେମିଫାଇନାଲରେ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଥିବାବେଳେ ମ୍ୟାକ୍ସୱେଲ୍ଙ୍କ ଫିଟନେସ ଉପରେ ଅଧିକ ଗୁରୁତ୍ବ ଦେଇଛି । ଅଷ୍ଟ୍ରେଲିଆର ଆସିଷ୍ଟାଣ୍ଟ କୋଟ ଡାନିଏଲ ଭେଟୋରି ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଥିଲେ ଯେ, ମ୍ୟାକ୍ସୱେଲ୍ ନିଶ୍ଚିତ ଭାବରେ ସୁସ୍ଥ ହୋଇ ପୂର୍ବ ଅବସ୍ଥାକୁ ଫେରିଆସିବେ । ମ୍ୟାଚ ଖେଳିବା ସମୟରେ ସେ କଷ୍ଟ ଅନୁଭବ କରୁଥିବା ଆମେ ଦେଖିଛୁ । ତଥାପି ପୂର୍ବ ମ୍ୟାଚରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଯଦି ବି ସେ ଆଜିର ମ୍ୟାଚ ଖେଳୁଛନ୍ତି ତେବେ ତାଙ୍କର ପ୍ରଦର୍ଶନ କେମିତି ରହୁଛି ତା' ଉପରେ ସମସ୍ତଙ୍କ ନଜର ରହିବ । କୋଲକାତାରେ ସେମିଫାଇନାଲ୍ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତଙ୍କ ଆଶା ।