ମୁମ୍ବାଇ: ଘରୋଇ ମହିଳା ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହୋଇଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ଟି-ଟେଣ୍ଟି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ 38 ରନରେ ପରାସ୍ତ ହୋଇଛି ଭାରତୀୟ ମହିଳା କ୍ରିକେଟ ଦଳ । ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ପ୍ରଥମ ମ୍ୟାଚ ହାରିଛି । 77ରନର ଇନିଂସ ସହ ଗୋଟିଏ ୱିକେଟ ନେଇଥିବା ସ୍କିଭର ବ୍ରଣ୍ଟ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ବିଜୟ ସହ ଇଂଲଣ୍ଡ 3 ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି । ଭାରତର ସ୍ପିନର ସାଇକା ଇଶାକ ଓ ଶ୍ରେୟଙ୍କା ପାଟିଲ ପଦାର୍ପଣ କରିଥିଲେ ।
ଇଂଲଣ୍ଡ ବ୍ୟାଟିଂ:ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡର ସୋଫିଆ ଡଙ୍କଲି ଓ ଆଲିସ କ୍ୟାପସି ଓପନିଂ କରିଥିଲେ । ଭାରତର ପେସ୍ ବୋଲର ରେଣୁକା ସିଂହ ପ୍ରଥମ ଓଭରରେ ଦୁଇ ଜଣଙ୍କୁ ପାଭିଲିୟନ ପଠାଇଥିଲେ । ସୋଫିଆ 1 ଓ ଆଲିସ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ । ଅନ୍ୟ ଓପନର ଡାନିଏଲା ୱାଟଙ୍କ ସହ ଅଲରାଉଣ୍ଡର ସ୍କିଭର ବ୍ରଣ୍ଟ ସ୍ଥିତି ସମ୍ଭାଳି ଖେଳିଥିଲେ । ଉଭୟ କ୍ରିଜରେ ସେଟ ହେବା ପରେ ଦଳୀୟ ସ୍କୋର ଆଗକୁ ବଢିଥିଲା । ତୃତୀୟ ୱିକେଟରେ 139 ରନର ଭାଗିଦାରୀ ଗଠନ ହୋଇଥିଲା । 16ତମ ଓଭରରେ ଇଶାକ ଏହି ଯୋଡି ଭାଙ୍ଗିଥିଲେ । ଦଳୀୟ ସ୍କୋର 104 ବେଳେ ଡାନିଏଲା ୱାଟ 75ରନ କରି ଆଉଟ ହୋଇଥିଲେ । ସେ 45 ବଲରେ 8ଟି ଚୌକା ଓ 2ଟି ଛକା ସହିତ 75 ରନ କରିଥିଲେ । ଏହାପରେ ହିଥର ନାଇଟ 6 ରନ୍ କରି ଶ୍ରେୟଙ୍କାଙ୍କ ଶିକାର ହୋଇଥିଲେ । ଏହାପରେ ପରେ ବ୍ରଣ୍ଟ ରେଣୁକାଙ୍କ ଶିକାର ହୋଇଥିଲେ । ସେ 53 ବଲ ଖେଳି 13ଟି ଚୌକା ସହ 77 ରନ କରିଥିଲେ । ଅନ୍ତିମ ଭାଗରେ ଆମି ଜୋନ୍ସ 9ଟି ବଲରୁ ଉପଯୋଗୀ 23 ରନ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଆମି ଏଲେନ ଜୋନ୍ସ 23 ରନ କରି ଶ୍ରେୟଙ୍କାଙ୍କ ଶିକାର ହୋଇଥିଲେ । ନିର୍ଦ୍ଧାରିତ 20 ଓଭରରେ ଇଂଲଣ୍ଡ 6 ୱିକେଟ ହରାଇ 197 ରନ କରିଥିଲା । ଭାରତ ପକ୍ଷରୁ ରେଣୁକା ସିଂହ 3ଟି ଶ୍ରେୟଙ୍କା ପାଟିଲ 2ଟି ଲେଖାଏଁ ୱିକେଟ ନେଇଥିଲେ ।