ନୂଆଦିଲ୍ଲୀ:ଚଳିତ ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଅଷ୍ଟ୍ରେଲିଆ 6 ଥର ପାଇଁ ବିଶ୍ବ ବିଜୟୀ ହୋଇଛି । ଅଧିନାୟିକା ମେଗ ଲାନିଙ୍ଗଙ୍କ ନେତୃତ୍ବରେ ଦଳ ଚମ୍ପିଆନ ହୋଇଛି । ଏହା ସହିତ ମହିଳା କ୍ରିକେଟର ମେଗ ଲାନିଙ୍ଗ ସଫଳ ଅଧିନାୟିକା ହୋଇଛନ୍ତି । ମେଗ ଲାନିଙ୍ଗ ସର୍ବାଧିକ 5ଟି ଆଇସିସି ଟ୍ରଫି ହାସଲ କରି ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ବ କ୍ରିକେଟ ପୁରୁଷ ଓ ମହିଳାରେ ପ୍ରଥମ ଅଧିନାୟକ ଭାବେ 5ଟି ଆଇସିସି ଟ୍ରଫି ବିଜୟୀ ହୋଇଛନ୍ତି ମେଗ ଲାନିଙ୍ଗ ।
2023 ଟି-ଟ୍ବେଣ୍ଟି ବିଶ୍ବକପ ଅଷ୍ଟମ ସଂସ୍କରଣର ଟ୍ରଫି ହାସଲ କରି ଷଷ୍ଠ ଥର ପାଇଁ ଚମ୍ପିଆନ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇଥିଲେ ମେଗ ଲାନିଙ୍ଗ । ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ଲାନିଙ୍ଗ । ରିକି ପଣ୍ଟିଂ ଅଧିନାୟକ ଥିବା ସମୟରେ 4 ଥର ଆଇସିସି ଟ୍ରଫି ଜିତିଥିବାବେଳେ ଧୋନୀ 3 ଥର ଆଇସିସି ଟ୍ରଫି ଜିତିଥିଲେ । ଏହା ପୂର୍ବରୁ ମେଗା ଲାନିଙ୍ଗ 2014, 2018, ଓ 2020ରେ ଦଳକୁ ଟି-20 ବିଶ୍ବ ବିଜୟୀ କରାଇଥିଲେ । ସେହିପରି 2022ରେ ଏକଦିବସୀୟ ବିଶ୍ବକପ ବିଜୟୀ ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇଥିଲେ ମେଗ ଲାନିଙ୍ଗ ।