ନୂଆଦିଲ୍ଲୀ: ବିଦେଶୀ ଖେଳାଳିଙ୍କୁ ବିସିସିଆଇର ବଡ ଆଶ୍ବାସନା । ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯିବାପରେ ଆଇପିଏଲ ଖେଳୁଥିବା ସମସ୍ତ ବିଦେଶୀ ଖେଳାଳିଙ୍କୁ ନିଜ ଦେଶରେ ସୁରକ୍ଷିତ ପହଞ୍ଚାଇବାକୁ ସମସ୍ତ ବ୍ୟବସ୍ଥା କରିବ ବୋର୍ଡ ।
3ଜଣ ଅଷ୍ଟ୍ରେଲିଆ ଖେଳାଳି ଭାରତରେ ବଢୁଥିବା କୋରୋନା ସଂକଟରେ ଭୟଭୀତ ହୋଇ ଟୁର୍ଣ୍ଣାମେଣ୍ଟରୁ ଓହରିବାର ଦିନକ ପରେ ବିସିସିଆଇର ଏହ ବଡ ବୟାନ ସାମ୍ନାକୁ ଆସିଛି ।
ଆଣ୍ଡ୍ରିୟୁ ଟାଇ(ରାଜସ୍ଥାନ ରୟାଲ୍ସ) , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କେନ ରିଚାର୍ଡସନ ଓ ଆଡାମ ଜାମ୍ପା ଆଇପିଏଲ ଅଧାରୁ ଓହରିଯାଇଛନ୍ତି । ପ୍ରାୟ ଦୁଇ ସପ୍ତାହ ଧରି ଟୁର୍ଣ୍ଣାମେଣ୍ଚ ସୁରୁଖୁରୁ ଭାବେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ସଫଳତାର ସହ ଖେଳାଯିବା ସତ୍ତ୍ବେ ଖେଳାଳିମାନେ ଭୟଭୀତ ହେବା ଚିନ୍ତାର କାରଣ ହୋଇଛି ।
"ଟୁର୍ଣ୍ଣାମେଣ୍ଟ ଶେଷ ପରେ କିପରି ନିଜ ଘରକୁ ଫେରିବେ ସେନେଇ ଅନେକ ଚିନ୍ତିତ ଥିବା ଆମେ ବୁଝିପାରୁଛୁ । ମାତ୍ର ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆମେ ପ୍ରତିଶ୍ରୁତି ଦେଉଛୁ, ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯିବାପରେ ସୁରକ୍ଷିତ ଭାବେ ଆପଣଙ୍କ ସ୍ବଦେଶ ପହଞ୍ଚାଇବୁ । ବିସିସିଆଇ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଓ ସରକାରୀ ଅଧିକାରୀଙ୍କ ସହ ବିଦେଶୀ ଖେଳାଳିଙ୍କୁ ସ୍ବଦେଶ ଫେରିବାର ସମସ୍ତ ବ୍ୟବସ୍ଥା ନେଇ ଆଲୋଚନା ଜାରି ରହିଛି ।" ବିସିସିଆଇ ସିଇଓ ହେମାଙ୍ଗ ଅମିନ ଖେଳାଳିଙ୍କ ଉଦ୍ଦେଶ୍ୟରେ ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ।
ବିସିସିଆଇ ପାଇଁ ଟୁର୍ଣ୍ଣାମେଣ୍ଟ ସେପର୍ଯ୍ୟନ୍ତ ଶେଷ ହୋଇନାହିଁ, ଯେପର୍ଯ୍ୟନ୍ତ ସମସ୍ତ ସଦସ୍ୟ ସୁରକ୍ଷିତ ଭାବେ ଘରେ ପହଞ୍ଚିନାହାନ୍ତି ବୋଲି କହିଛି ବିସିସିଆଇ ।