ସିଡନୀ:ମୃତ୍ୟୁ ବେଳକୁ ବି ମ୍ୟାଚ୍ ଦେଖୁଥିଲେ, ଶେଷ ନିଶ୍ବାସ ତ୍ୟାଗ କରିବା ବେଳକୁ ସାମ୍ନାରେ ତାଙ୍କର ଟିମ ଥିଲା । ଶରୀର ସିନା ଥାଇଲାଣ୍ଡରେ ଥିଲା, ମାତ୍ର ମନ ନିଜ ଦେଶର ଖେଳାଳିଙ୍କ ସହ ଥିଲା । ପାକିସ୍ତାନର ପିଣ୍ଡି ପଡିଆରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ ପାକିସ୍ତାନ ସହ ମ୍ୟାଚ୍ ଖେଳୁଥିଲା ଏପଟେ ହୃଦଘାତରେ ଛଟପଟ ହେଉଥିଲେ କ୍ରିକେଟ ଇତିହାସର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ସ୍ପିନର ସେନ ୱାର୍ଣ୍ଣ ।
ଥାଇଲାଣ୍ଡରେ ଥାଇ ବି ଟେଲିଭିଜନ ପରଦାରେ ୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯାଇଥିବା ଅଷ୍ଟ୍ରେଲିଆ କ୍ରିକେଟ ଟିମର ଖେଳ ଦେଖୁଥିଲେ । ଯେମିତି ସେ ଜାଣିଥିଲେ ଯେ ଏହା ତାଙ୍କ ଜୀବନର ଶେଷ ମ୍ୟାଚ୍ । ମ୍ୟାଚ୍ ସରିନଥିଲା, ମାତ୍ର ମୃତ୍ୟୁ ଆସି ପ୍ରତିପକ୍ଷ ଟିମର ଅନେକ ଦୁର୍ଦ୍ଦଶ ବ୍ୟାଟ୍ରଙ୍କୁ ଯାଦୁଗରୀ ସ୍ପିନ ଜରିଆରେ ପାଭିଲିୟନ ପଠାଇଥିବା ୱାର୍ଣ୍ଣଙ୍କୁ ଛାତିରେ ଲଗାଇଥିଲା ।
ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କ୍ରିକେଟ ସହିତ ଥିଲେ ମହାନ କ୍ରିକେଟର ୱାର୍ଣ୍ଣ । ଅଷ୍ଟ୍ରେଲିଆ ଟିମ ଆଜି ବି ତ ପଡିଆରେ ଖେଳୁଛି, ମାତ୍ର ସେ ନାହାନ୍ତି । ଏମିତି ଶେଷ ହୋଇଛି କ୍ରିକେଟ କିମ୍ବଦନ୍ତୀ କିଙ୍ଗ ଅଫ ସ୍ପିନ୍ ସେନ ୱାର୍ଣ୍ଣଙ୍କ ଇଂନିସ । ଏବେ ବି ସ୍ମୃତିରେ ତାଙ୍କର ବଲ୍ ଅଫ୍ ଦ ସେଞ୍ଚୁରୀ । ଶୁକ୍ରବାର ଥାଇଲାଣ୍ଡରେ ମହାନ ଅଷ୍ଟ୍ରେଲୀୟ କ୍ରିକେଟର ସେନ ୱାର୍ଣ୍ଣଙ୍କ ସନ୍ଦେହଜନକ ହୃଦଘାତରେ ମୃତ୍ୟୁ ହେବାପରେ ଖବରକୁ ଅନେକ ବିଶ୍ବାସ କରିପାରିନଥିଲେ ।
ତେବେ ଶନିବାର ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ମୃତ୍ୟୁର କାରଣ ନେଇ ବଡ ଖୁଲାସା କରିଛନ୍ତି ତାଙ୍କର ବ୍ୟକ୍ତିଗତ ମ୍ୟାନେଜର ଜେମ୍ସ ଏରସକିନ । ସିଡନୀ ମର୍ଣ୍ଣିଂ ହେରାଲ୍ଡକୁ କିମ୍ବଦନ୍ତୀ ସ୍ପିନରଙ୍କ ବିଜନେସ୍ ମ୍ୟାନେଜର କହିଛନ୍ତି, "ୱାର୍ଣ୍ଣ ମଦ୍ୟପାନ କରିଥିଲେ ବୋଲି ହେଉଥିବା ଚର୍ଚ୍ଚା ସତ୍ୟ ନୁହେଁ । ବାସ୍ତବରେ ୱାର୍ଣ୍ଣ ହୃଦଘାତର ଶିକାର ହେବା ସମୟରେ କ୍ରିକେଟ ମ୍ୟାଚ୍ ଦେଖୁଥିଲେ । ଏହାପରେ କିଛି ବନ୍ଧୁଙ୍କୁ ଭେଟିବା ଓ ଡିନର କରିବାର ସୂଚୀ ରହିଥିଲା ।"