ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ନାମକୁ ନେଇ ଆରମ୍ଭ ହୋଇଛି 'ଇଣ୍ଡିଆ' ବନାମ 'ଭାରତ' ଚର୍ଚ୍ଚା । ସମସ୍ତେ ସାମାଜିକ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଉପରେ ନିଜର ମତାମତ ଦେଉଛନ୍ତି । ଏହି ପ୍ରସଙ୍ଗରେ ନିଜ ମନ୍ତବ୍ୟ ଭିନ୍ନ ପ୍ଲାଟ୍ଫର୍ମରେ ରଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହ୍ବାଗ । ଭାରତରେ ହେବାକୁଥିବା ଦିନିକିଆ ବିଶ୍ବକପ୍ ପାଇଁ ବିସିସିଆଇ ଆଜି ଭାରତୀୟ ଦଳ ଘୋଷଣା କରିଥିବାବେଳେ ଏଥର ଜର୍ସିରେ 'ଇଣ୍ଡିଆ' ନୁହେଁ, 'ଭରତ' ଲେଖିବାକୁ ବିସିସିଆଇକୁ ପରାମର୍ଶ ଦେଇଛନ୍ତି ସେହୱାଗ । ଏହାସହ ତାଙ୍କୁ ରାଜନୀତିକୁ ଆସି ସାଂସଦ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେପି ଅଫର୍ ଦେଇଥିବା ମଧ୍ୟ ନାଁ ନନେଇ କହିଛନ୍ତି ସେହୱାଗ । ହେଲେ ରାଜନୀତିରେ ତାଙ୍କର ଆଦୌ ଇଚ୍ଛା ନଥିବା କହିଛନ୍ତି ।
ବିଶ୍ବକପ୍ ୨୦୨୩ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିଛନ୍ତି । ଏହି ଅବସରରେ ବିସିସିଆଇ ସୋସିଆଲ ମିଡିଆରେ ଦଳର ଏକ ଫଟୋ ମଧ୍ୟ ସେୟାର କରିଛି । ଏଥିରେ ବିସିସିଆଇ ଲେଖିଛି, "ବିଶ୍ବକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ।" କିନ୍ତୁ ବିସିସିଆଇର ଏହି ଟ୍ବିଟକୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବୀରେନ୍ଦ୍ର ସେହ୍ବାଗ ପସନ୍ଦ କରିନାହାନ୍ତି । ସେ ବିସିସିଆଇର ଏହି ଟ୍ବିଟକୁ ରିପ୍ଲଇ ଦେଇ ଲେଖିଛନ୍ତି, "ଟିମ୍ ଇଣ୍ଡିଆ ନୁହେଁ, ଟିମ୍ ଭରତ । ଏହି ବିଶ୍ବକପ୍ରେ ଆମେ ଚିୟର କରୁଥିବା କୋହଲି, ରୋହିତ, ବୁମରା, ଜାଡୁ ଭାରତକୁ ହୃଦୟରେ ରଖି ଖେଳନ୍ତୁ ।"