ହାଇଦ୍ରାବାଦ:ପୁରା ବିଶ୍ବକୁ ଥରାଇ ଦେଇଛି ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣା । ଅନେକଙ୍କ ପରିବାରକୁ ଉଜାଡ଼ି ଦେଇଛି ଲୌହ ଦାନବର ଏହି ରକ୍ତ ଭୋଜି । ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ଓ ଆହତଙ୍କୁ ସହାୟତା ହାତ ବଢାଇଛନ୍ତି ବହୁ ବାଦାନ୍ୟ ବ୍ୟକ୍ତି । ଦୁର୍ଘଟଣାରେ ନିଜ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ସହାୟତାର ହାତ ବଢାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ନିଜ ବିଦ୍ୟାଳୟରେ ମାଗଣାରେ ଶିକ୍ଷାଦାନ ପ୍ରଦାନ ନେଇ ଘୋଷଣା କରିଛନ୍ତି ସେହଓ୍ବାଗ ।
ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, "ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ଆମକୁ ଦୀର୍ଘ ସମୟ ଧରି ଡରାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କର ଶିକ୍ଷାର ଦାୟିତ୍ବ ମୁଁ ନେବି । ବୋର୍ଡିଂ ସୁବିଧା ଥିବା ସେହଓ୍ବାଗ ଇଣ୍ଟରନ୍ୟାସନାଲ ସ୍କୁଲ୍ରେ ଏହି ପିଲାଙ୍କୁ ମୁଁ ମାଗଣା ଶିକ୍ଷା ପ୍ରଦାନ କରିବି ।" ଭାରତୀୟ କ୍ରିକେଟ ଜଗତର ବହୁ ଖେଳାଳି ଏହି ଘଟଣାରେ ଶୋକବ୍ୟକ୍ତ କରିଥିଲେ ।
ଟ୍ରେନ୍ ଦୁର୍ଘଟଣା ପରେ ଗତକାଲି ଆଦାନୀ ଗ୍ରୁପ ତରଫରୁ ବଡ଼ ଘୋଷଣା କରାଯାଇଥିଲା । ଦୁର୍ଘଟଣାରେ ନିଜ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ ସହାୟତାର ହାତ ବଢ଼ାଇଥିଲା ପ୍ରତିଷ୍ଠିତ ଆଦାନୀ ଗ୍ରୁପ । ଏହି ଶିଶୁମାନଙ୍କୁ ସ୍କୁଲ ଶିକ୍ଷାଦାନ କରିବା ନେଇ ଆଦାନୀ ଗ୍ରୁପ ଚେୟାରମ୍ୟାନ ତଥା ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ନିଜ ଟ୍ବିଟର ମାଧ୍ୟମରେ ସୂଚନା ଦେଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ କରମଣ୍ଡଳ ଏକ୍ପପ୍ରେସର 17ଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ସେହି ସମୟରେ ଅନ୍ୟ ଲାଇନରେ ଆସୁଥିବା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ର ପଛ 3ଟି ବଗି ବି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ଦୁର୍ଘଟଣା ସମୟରେ ଭୟଙ୍କର ଶବ୍ଦ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇପଡ଼ିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଏହି ଘଟଣାରେ 275 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1000ରୁ ଅଧିକ ଆହତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଅନେକ ଡିସଚାର୍ଜ ହୋଇ ଘରକୁ ଫେରିଥିବା ବେଳେ ଅନେକ ଆହତ ହୋଇ ଏବେ ବି ଚିକିତ୍ସାଧୀନ ରହିଛନ୍ତି । ଏହି ଟ୍ରେନ୍ ଦୁର୍ଘଟଣା ପରେ ବିଶ୍ବର କୋଣ ଅନୁକୋଣରୁ ଛୁଟିଥିଲା ଶୋକ ଓ ସମବେଦନାର ବାର୍ତ୍ତା । ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ ।