ଓଡିଶା

odisha

ETV Bharat / sports

କୋହଲିଙ୍କୁ ICCର ବଡ଼ ଉପହାର, କ୍ରିକେଟ ଇତିହାସରେ ପ୍ରଥମ - ଦଶମ ଆଇସିସି ଆୱାର୍ଡ୍‌ ହାସଲ କରିଛନ୍ତି କୋହଲି

କୋହଲିଙ୍କୁ ICCର ବଡ଼ ଉପହାର । ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର୍‌ ଭାବେ ବିରାଟ କୋହଲିଙ୍କୁ ଚୟନ କରିଛି ଆଇସିସି । ଏହାକୁ ମିଶାଇ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଦଶମ ଆଇସିସି ଆୱାର୍ଡ୍‌ ହାସଲ କରିଛନ୍ତି କୋହଲି । ଅଧିକ ପଢ଼ନ୍ତୁ

କୋହଲିଙ୍କୁ ICCର ବଡ଼ ଉପହାର, କ୍ରିକେଟ ଇତିହାସରେ ପ୍ରଥମ
କୋହଲିଙ୍କୁ ICCର ବଡ଼ ଉପହାର, କ୍ରିକେଟ ଇତିହାସରେ ପ୍ରଥମ

By

Published : Nov 7, 2022, 5:24 PM IST

ହାଇଦ୍ରାବଦ: ଦୀର୍ଘଦିନର ନୀରବତା ପରେ ପୁଣ ଥରେ ପୁରୁଣା ଲୟକୁ ଫେରିଛନ୍ତି କ୍ରିକେଟ୍‌ର କିଙ୍ଗ୍‌ ବିରାଟ କୋହଲି । ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ ପରେ ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର୍‌ ଭାବେ ବିରାଟ କୋହଲିଙ୍କୁ ଚୟନ କରିଛି ଆଇସିସି । ତେବେ ଏହାକୁ ମିଶାଇ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଦଶମ ଆଇସିସି ଆୱାର୍ଡ୍‌ ହାସଲ କରିଛନ୍ତି କୋହଲି ।

୩ ବର୍ଷର ଶ୍ରେଷ୍ଠ ଦିନିକିଆ ଖେଳାଳି

ଦିନିକିଆ କ୍ରିକେଟ୍‌ରେ ବର୍ତ୍ତମାନ ୧୨ ହଜାରରୁ ଊର୍ଦ୍ଧ୍ବ ରନ ସଂଗ୍ରହ କରିଛନ୍ତି ବିରାଟ କୋହଲି । ୨୦୧୨ ମସିହାରେ ୧୭ ପାଳିରୁ ୫ ଶତକ ଓ ୩ ଅର୍ଦ୍ଧ ଶତକ ସହିତ ମୋଟ ୧୦୨୬ ରନ ସଂଗ୍ରହ କରି ସେ ପ୍ରଥମ ଥର ପାଇଁ ସେହି ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌ ଭାବେ ଚୟନ ହୋଇଥଲେ । ଏହା ପରେ ୨୦୧୭ରେ ୨୬ ପାଳିରୁ ୬ ଶତକ ଓ ୭ ଅର୍ଦ୍ଧ ଶତକ ସହିତ ସେ ମୋଟ ୧୪୬୦ ରନ ସଂଗର୍ହ କରି ଦ୍ବିତୀୟ ଥର ପାଇଁ ଦିନିକିଆ କ୍ରିକେଟ୍‌ରେ ଶ୍ରେଷ୍ଠ ଖେଳାଳି ଆୱାର୍ଡ୍‌ ପାଇଥିଲେ । ଲଗାତାର ଭାବେ ୨୦୧୮ରେ ମଧ୍ୟ ମାତ୍ର ୧୪ ପାଳିରୁ ୬ ଶତକ ଓ ୩ ଅର୍ଦ୍ଧ ଶତକ ସହ ମୋଟ ୧୨୦୨ ରନ ସଂଗ୍ରହ କରି ତୃତୀୟ ଥରପାଇଁ ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌ ଚୟନ ହୋଇଥିଲେ ।

୨୦୧୮ ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର୍‌

ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଭାରତ ଟେଷ୍ଟ କ୍ରିକେଟ୍‌ର ଶୀର୍ଷତମ ସ୍ଥାନରେ ପହଞ୍ଚି ପାରିଥିଲା । ଟେଷ୍ଟରେ ଏପର୍ଯ୍ୟନ୍ତ ସମୁଦାୟ ୧୦୨ ମ୍ୟାଚରେ ୧୭୩ ପାଳି ଖେଳିଥିବା କୋହଲି ୨୭ ଶତକ ଓ ୨୮ ଅର୍ଦ୍ଧ ଶତକ ସହ ୮ ହଜାରରୁ ଊର୍ଦ୍ଧ୍ବ ରନ ସଂଗ୍ରହ କରିଛନ୍ତି । ତେବେ ୨୦୧୮ ମସିହାରେ ୧୩ ମ୍ୟାଚରେ ୨୪ ପାଳି ଖେଳି ୫ଟି ଲେଖାଏଁ ଶତକ ଓ ଅର୍ଦ୍ଧ ଶତକ ସହିତ ୧୩୨୨ ରନ ସଂଗ୍ରହ କରିଥିଲେ । ଏଭଳି ରେକର୍ଡ ପାଇଁ ସେହି ବର୍ଷ ଆଇସିସି ଶ୍ରେଷ୍ଠ ଟେଷ୍ଟ କ୍ରିକେଟର୍‌ ଭାବେ ପୁରସ୍କୃତ କରିଥିଲା ।

୨୦୧୭ ଓ ୧୮ ବର୍ଷର ଶ୍ରେଷ୍ଠ କ୍ରିକେଟର୍‌

କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ନିଜର ଦବଦବା ଦେଖାଇ ନିଜ ଦଳ ପାଇଁ ରନ ସଂଗ୍ରହ କରିଚାଲିଥାନ୍ତି ବିରାଟ । ସେଥିପାଇଁ ତାଙ୍କୁ କ୍ରିକେଟ୍‌ର ରନ୍‌ ମେସିନ୍‌ ବୋଲି କୁହାଯାଏ । ତେବେ ଟେଷ୍ଟ, ଦିନିକିଆ ଓ T20 ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୧୭ ଓ ୨୦୧୮ ମସିହାରେ ଲଗାତାର ଦୁଇଥର ବର୍ଷର ଶ୍ରେଷ୍ଠ କ୍ରିକେଟର୍‌ ଆୱାର୍ଡ ହାତେଇଥିଲେ କୋହଲି ।

ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌- ୨୦୧୯

ଦୀର୍ଘ ବର୍ଷ ଧରି କ୍ରିକେଟ୍‌ ଜଗତରେ ରାଜ କରୁଛନ୍ତି ବିରାଟ କୋହଲି । ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ପଦ ଗ୍ରହଣ କରିଥିଲେ ସେ । ଏହି ସମୟରେ ସେ ଅନେକ ରେକର୍ଡର ଅଧିକାରୀ ହୋଇଥିଲେ । ଏହି ସମୟରେ ଆଇସିସି ତରଫରୁ ତାଙ୍କୁ ଏହି ଶ୍ରେଷ୍ଠ ଆୱାର୍ଡ୍‌ ପ୍ରଦାନ କରାଯାଇଥିଲା । ୨୦୧୯ ମସିହାରେ ସେ ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌ ଭାବରେ ପୁରସ୍କୃତ ହୋଇଥିଲେ ।

ଦଶକର ଶ୍ରେଷ୍ଠ କ୍ରିକେଟର୍‌ ଓ ଦଶକର ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌

୨୦୦୮ ମସିହାରେ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳରେ ନିଜର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ପଛକୁ ଫେରି ଚାହିଁନାହାନ୍ତି ସେ । ୨୦୧୦ରେ ଜିମ୍ବାୱେ ବିପକ୍ଷରେ T20 ଓ ୨୦୧୧ ମସିହାରେ ୱେଷ୍ଟ୍‌ ଇଣ୍ଡିଜ ବିପକ୍ଷରେ ଟେଷ୍ଟରେ କ୍ୟାରିୟର ଆରମ୍ଭ କରିଥିଲେ କୋହଲି । ଲଗାତାର ଭାବେ ବିଶ୍ବ କ୍ରିକେଟ୍‌ରେ ରାଜ କରି ଚାଲିଥିବା କୋହଲିଙ୍କୁ ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ ତରଫରୁ ଦଶକର ଶ୍ରେଷ୍ଠ କ୍ରିକେଟର ଭାବେ ସାର ଗାର୍ଫିଲ୍ଡ୍‌ ସୋବର୍ସ ଆୱାର୍ଡ (Sir Garfield Sobers Award for ICC Male Cricketer of the Decade) ପ୍ରଦାନ କରାଯାଇଥିଲା । ସେହିବର୍ଷ ମଧ୍ୟ କୋହଲି ଦଶକର ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌ ଆୱାର୍ଡ ଗ୍ରହଣ କରିଥିଲେ ।

ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର୍‌

ଚଳିତ T20 ବିଶ୍ବକପରେ ବିରାଟ କୋହଲି ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି । ଏହି ଷ୍ଟାର ବ୍ୟାଟର୍‌ ବିଶ୍ବକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୫୩ ବଲରୁ ୮୨ ରନର ଲଢୁଆ ଇନିଂସ ଖେଳିଥିଲେ । ସେହିପରି ନେଦରଲାଣ୍ଡ ବିପକ୍ଷରେ ୪୪ ବଲରୁ ୬୨ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିଭଳି ବାଂଲାଦେଶ ବିପକ୍ଷରେ ୪୪ ବଲରୁ ୬୪ ରନ ସଂଗ୍ରହ କରିଥିଲେ କୋହଲି । ଏଭଳି ପ୍ରଦର୍ଶନ ପରେ ତାଙ୍କୁ ଅକ୍ଟୋବର ମାସର ଶ୍ରେଷ୍ଠ ପୁରୁଷ କ୍ରିକେଟର୍‌ ଭାବରେ ଘୋଷଣା କରିଛି ଆଇସିସି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details