ଦୁରହମ:ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲି, ଟୋକିଓ ଅଲମ୍ପିକ୍ସ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଏହି ମେଗା କ୍ରୀଡା ଇଭେଣ୍ଟ ଖେଳାଯିବ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ସମସ୍ତ ଭାରତୀୟଙ୍କୁ ଅପିଲ କରିଛନ୍ତି କୋହଲି ।
ପିଭି ସିନ୍ଧୁଙ୍କ ନେତୃତ୍ବରେ ଭାରତୀୟ ଅଲମ୍ପିକ ବ୍ୟାଡମିଣ୍ଟନ ଟିମ ଓ ଟେବୁଲ ଟେନିସ ଟିମ ଟୋକିଓ ଅଲମ୍ପିକ୍ସ ପାଇଁ ଅଲମ୍ପିକ ଭିଲେଜ ଯାତ୍ରା କରିବାକୁ ଅନୁମତି ଲାଭ କରିଛନ୍ତି । ଅଲମ୍ପିକ୍ସରେ ଅଂଶଗ୍ରହଣକାରୀ ଆଥଲେଟ୍ଙ୍କ ପାଇଁ ଏଠାରେ ରହିବା ସହ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ରବିବାର ୫୪ ଆଥଲେଟଙ୍କ ସମେତ ମୋଟ ୮୮ ଜଣିଆ ଭାରତୀୟ ଅଲମ୍ପିକ ଟିମ ଟୋକିଓରେ ପହଞ୍ଚିଛି । ମୋଟ ୧୨୭ ଆଥଲେଟ୍ସ ଟୋକିଓ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବେ, ଏହି ସଂଖ୍ୟା ଏଯାବତ ଭାରତର ସର୍ବାଧିକ । ତୀରନ୍ଦାଜ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ହକି, ଜୁଡୋ, ଜିମ୍ନାଷ୍ଟିକ୍ସ, ସୁଇମିଂ ଓ ଭାରୋତ୍ତଳନର ଖେଳାଳି ଓ ଅଧିକାରୀଙ୍କୁ ନେଇ ନୂଆଦିଲ୍ଲୀରୁ ଉଡାଣ ଭରିଥିବା ସ୍ବତନ୍ତ୍ର ଏୟାର ଇଣ୍ଡିଆ ବିମାନ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛି।
ମେରୀ କମ ଓ ଅମିତ ପଙ୍ଘଲଙ୍କ ନେତୃତ୍ବରେ ଭାରତୀୟ ବକ୍ସିଂ ଟିମ ମଧ୍ୟ ରବିବାର ଇଟାଲିରୁ ଟୋକିଓରେ ପହଞ୍ଚିଛି । ଅଲମ୍ପିକ୍ସ ପାଇଁ ଇଟାଲିରେ କଡା ପ୍ରସ୍ତୁତି କରିଥିବା ଭାରତୀୟ ବକ୍ସିଂ ଟିମ ଶନିବାର ଟୋକିଓ ଅଭିମୁଖେ ଯାତ୍ରା କରିଥିଲା ।