ହାଇଦ୍ରାବାଦ: ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଫଳରେ କ୍ରିକେଟର ଲମ୍ବା ଫର୍ମାଟରେ ଦେଶର ସବୁଠୁ ସଫଳତମ ଅଧିନାୟକ(Most Successful captain)ଙ୍କ ରାଜୁତି ଶେଷ ହୋଇଛି ।
ନଜର ପକାନ୍ତୁ ବିରାଟଙ୍କ ଟେଷ୍ଟ ଅଧିନାୟକତ୍ବ ସମୟରେ ଟିମ ଇଣ୍ଡିଆ କେଉଁସବୁ ପ୍ରମୁଖ ସଫଳତାର ପାହାଚକୁ ଅତିକ୍ରମ କରିଛି:
ଏହାମଧ୍ୟ ପଢନ୍ତୁ:ଟେଷ୍ଟ କ୍ୟାପଟେନ ପଦ ଛାଡିଲେ କୋହଲି
ଶକ୍ତିଶାଳୀ ବୋଲିଂ ବିଭାଗ:
- ବିଶ୍ବର କୌଣସି ପରିବେଶରେ କୌଣସି ପିଚ୍ରେ ପ୍ରତିପକ୍ଷ ଟିମର ୨୦ଟି ୱିକେଟ ଅକ୍ତିଆର କରିବା ଭଳି ଆକ୍ରମଣାତ୍ମକ ବୋଲିଂ ୟୁନିଟ ପ୍ରସ୍ତୁତ କରିବାରେ ପ୍ରମୁଖ ଥିଲେ ୩୩ ବର୍ଷୀୟ ବିରାଟ । ଅଧିନାୟକ ପଦ ଛାଡିବା ପରେ ସମସ୍ତ ତିନୋଟି ଫର୍ମାଟରେ ପୁଣି ଥରେ ବିରାଟଙ୍କ ବ୍ୟାଟ୍ କଥା କହିବ ବୋଲି ଆଶା କରାଯାଉଛି ।
ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ସର୍ବାଧିକ ବିଜୟ:
- ଭାରତୀୟ ଟେଷ୍ଟ ଟିମର ଜଣେ ଅଧିନାୟକ ଭାବେ ସର୍ବାଧିକ ୬୮ଟି ମ୍ୟାଚ୍ ଖେଳିଛନ୍ତି ବିରାଟ । କେବଳ ସେତିକି ନୁହେଁ, ୪୦ଟି ଟେଷ୍ଟ ବିଜୟ ସହ ବିରାଟଙ୍କ ନାମରେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ବିଜୟର ରେକର୍ଡ ମଧ୍ୟ ରହିଛି । ଟେଷ୍ଟ କ୍ରିକେଟ ଇତିହାସରେ କେବଳ ଗ୍ରେମ ସ୍ମିଥ୍, ରିକି ପଣ୍ଟିଂ ଓ ଷ୍ଟିଭ୍ ୱ, ଅଧିନାୟକ ଭାବେ କୋହଲିଙ୍କ ଠାରୁ ଅଧିକ ସଂଖ୍ୟକ ମ୍ୟାଚ୍ ଜିତିଛନ୍ତି ।
ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଶତକୀୟ ଇଂନିସ:
- ନିଜର ଟେଷ୍ଟ ଅଧିନାୟକତ୍ବ ସମୟରେ କ୍ରିକେଟର ଲମ୍ବା ଫର୍ମାଟରେ ୭ଟି ଦ୍ବିଶତକୀୟ ମାରାଥନ ଇଂନିସ ମଧ୍ୟ ଖେଳିଛନ୍ତି କୋହଲି । ୨୦ଟି ଟେଷ୍ଟ ଶତକ ସହ କୋହଲି ମଧ୍ୟ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଶତକୀୟ ଇଂନିସ ଖେଳିବାର ରେକର୍ଡ ନିଜ ନାମରେ କରିଛନ୍ତି ।
ICC ମାନ୍ୟତାରେ ରେକର୍ଡ ସମୟ ପାଇଁ ଲଗାତାର ନମ୍ବର ୧:
- କୋହଲିଙ୍କ ଅଧିନାୟକତ୍ବରେ ଭାରତ ICC ରାକିଂରେ ଲଗାତାର ଅକ୍ଟୋବର ୨୦୧୬ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୪୨ ମାସ ବିଶ୍ବରେ ନମ୍ବର ୧ ଟେଷ୍ଟ ଟିମ ହୋଇରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୁକ୍ରବାର ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପରାଜୟର ଗୋଟିଏ ଦିନ ପରେ କୋହଲି ଟେଷ୍ଟ କ୍ୟାପଟେନ ପଦ ଛାଡିବାର ନିଷ୍ପତ୍ତି ନେଇଛନ୍ତି ।
ଅଷ୍ଟ୍ରେଲିଆ ମାଟିରେ ଇତିହାସ:
- କ୍ରିକେଟର ଲମ୍ବା ଫର୍ମାଟରେ କୋହଲିଙ୍କ ବଡ ବିଜୟ ବର୍ଷ ୨୦୧୮-୧୯ରେ ହୋଇଥିଲା । ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା । ଏଥିସହ ବିରାଟଙ୍କ ନେତୃ୍ତ୍ବରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ(WTC) ଫାଇନାଲରେ ପହଞ୍ଚିଥିଲା । ଗତବର୍ଷ ଟି-୨୦ ଅଧିନାୟକ ପଦ ଛାଡିବା ପରେ BCCIର ଚୟନକର୍ତ୍ତା ହ୍ବାଇଟ୍ ବଲ୍ ଫର୍ମାଟରେ ଜଣେ ଅଧିନାୟକ ଚାହୁଁଥିବା ଦର୍ଶାଇ ODI ନେତୃତ୍ବରୁ ମୁକ୍ତ କରିଥିଲେ ।