ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନର ଖେଳ ଶେଷ ହୋଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୮୯ ରନରେ ପହଞ୍ଚିଛି ଟିମ ଇଣ୍ଡିଆ । ଫଳରେ ପ୍ରଥମ ପାଳିରେ ୪୮୦ ରନ କରିଥିବା କଙ୍ଗାରୁ ଦଳଠାରୁ ଏବେ ୧୯୧ ରନ ଦୂରରେ ରହିଛି ଭାରତ । ତେବେ ତୃତୀୟ ଦିବସ ଭାରତୀୟ ତଥା ବିରାଟ କୋହଲିଙ୍କ ପ୍ରଶଂସକଙ୍କ ପାଇଁ ବେଶ ଖୁସିର ଦିନ ଥିଲା । ପ୍ରାୟ ୧୪ ମାସ ପରେ କିଙ୍ଗ କୋହଲି ଟେଷ୍ଟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ସହିତ ଘରୋଇ ମୈଦାନରେ ୪୦୦୦ ଟେଷ୍ଟ ରନ ପୂରଣ କରିଛନ୍ତି ରନ ମେସିନ କୋହଲି ।
ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ଚଳିତ ସିଜିନରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ କୋହଲି । ୫ ଚୌକା ବଳରେ ନିଜ ଟେଷ୍ଟ କ୍ୟାରିୟରର ୨୯ ତମ ଅର୍ଦ୍ଧଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ତେବେ ତାଙ୍କ ପାଇଁ ଏହି ଅର୍ଦ୍ଧଶତକ ଏଥିପାଇଁ ମହତ୍ତ୍ବପୂର୍ଣ୍ଣ, କାରଣ ସେ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ପରେ ଏହି ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ କୋହଲିଙ୍କ ଫର୍ମକୁ ନେଇ ଆଲୋଚନା କରୁଥିବା ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି କୋହଲି । ତେବେ ଏହି ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ କୋହଲି ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ସେ ଘରୋଇ ମୈଦାନରେ ୪୦୦୦ ଟେଷ୍ଟ ରନ ପୂରଣ କରିଛନ୍ତି ।
ଭାରତରେ ୪୦୦୦ ଟେଷ୍ଟ ରନ ସଂଗ୍ରହ କରିବାରେ କୋହଲି ପଞ୍ଚମ ଭାରତୀୟ କ୍ରିକେଟର ହୋଇଛନ୍ତି । ସେ ଭାରତରେ ସମୁଦାୟ ଖେଳିଥିବା ୫୦ ମ୍ୟାଚ୍ର ୭୭ ପାଳିରୁ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏହି ୭୭ ପାଳିରେ ସେ ୧୩ ଶତକ ଓ ୧୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହା ମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୨୪୫ ରନ ରହିଛି । ଭାରତରେ ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ରନ ସଂଗ୍ରହ କରିବାରେ ପୂର୍ବତନ ଭାରତୀୟ ବ୍ୟାଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶୀର୍ଷସ୍ଥାନରେ ରହିଛନ୍ତି । ସେ ଭାରତରେ ସମୁଦାୟ ୯୪ ଟେଷ୍ଟ ମ୍ୟାଚ୍ର ୧୫୩ ପାଳିରୁ ୨୨ ଶତକ ଓ ୩୨ ଅର୍ଦ୍ଧଶତକ ବଳରେ ୭୨୧୬ ରନ ସଂଗ୍ରହ କରିଛନ୍ତି ।