କେପ୍ ଟାଉନ୍:ପୁଣି ବିବାଦରେ ପୂର୍ବତନ ଭାରତୀୟ କ୍ୟାପଟେନ ବିରାଟ କୋହଲି । ଏଥର ପ୍ରତିପକ୍ଷ ଟିମ ଉଦ୍ଦେଶ୍ୟରେ କଡା ଟିପ୍ପଣୀ ପାଇଁ ନୁହେଁ କିମ୍ବା ଅଧିନାୟକତ୍ବ ବିବାଦ ପାଇଁ ନୁହେଁ, ବରଂ ଜାତୀୟ ସଙ୍ଗୀତ ଗାନ ବେଳେ ତାଙ୍କର ଆଚରଣ ଭାରତୀୟ ଫ୍ୟାନ୍ସଙ୍କୁ ବ୍ୟଥିତ କରିଛି । କେପ୍ ଟାଉନ୍ର ନ୍ୟୁଲାଣ୍ଡ୍ସରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ରେ ଏହି ଘଟଣା ଘଟିଛି ।
ସବୁ ଅନ୍ତର୍ଜାତୀୟ ମ୍ୟାଚ୍ ପରି କେପ୍ ଟାଉନ୍ ଦିନିକିଆ ମ୍ୟାଚ୍ ଖେଳାଯିବା ପୂର୍ବରୁ ଉଭୟ ଦେଶର ଜାତୀୟ ସଙ୍ଗୀନ ଗାନ କରାଯାଇଥିଲା । ଭାରତର ଜାତୀୟ ସଙ୍ଗୀନ ଗାନବେଳେ କ୍ୟାପଟେନ କେଏଲ ରାହୁଲଙ୍କ ସମେତ ସମସ୍ତ ଭାରତୀୟ ଖେଳାଳି ସାବଧାନ ମୁଦ୍ରାରେ ରହି ଜାତୀୟ ସଙ୍ଗୀନ ଗାନ କରିଥିଲେ ।
ଏହାମଧ୍ୟ ପଢନ୍ତୁ:୩rd ODI: ଡି କକ୍ଙ୍କ ଦମଦାର ଶତକ, ଭାରତ ସାମ୍ନାରେ ଟାର୍ଗେଟ 288
ସମସ୍ତ ଭାରତୀୟ ସପୋର୍ଟ ଷ୍ଟାଫ୍ ମଧ୍ୟ ଅଂଶଗ୍ରହଣ କରିଥିଲେ । ତେବେ କୋହଲିଙ୍କ ଉପରେ କ୍ୟାମେରା ପଡିବାବେଳେ ସେ ପାଟିରେ କିଛି ଚୋବାଉଥିବା ଦେଖାଯାଇଥିଲା । ବିରାଟ ଜାତୀୟ ସଙ୍ଗୀନ ଗାନ ବେଳେ ସାବଧାନ ମୁଦ୍ରାରେ ରହିଥିଲେ ଓ ବୋଧହୁଏ ମନେମନେ ସଙ୍ଗୀନ ଗାନ କରୁଥିଲେ । ମାତ୍ର ଏହି ସମୟରେ ଚୁଇଙ୍ଗମ ଭଳି କିଛି ଜିନିଷ ତାଙ୍କର ପାଟିରେ ରହିଥିଲା ଓ ସେ ଏହାକୁ ଚୋବାଉଥିବା ଦେଖିବାକୁ ମିଳିଥିଲା । ଏହି ସମୟର ଭିଡିଓ ଭାଇରାଲ ହେବାପରେ କିଛି ଫ୍ୟାନ୍ସ ଏହାକୁ ନାପସନ୍ଦ କରିଛନ୍ତି । ଫଳରେ ପୁଣି ଏକ ନୂଆ ବିବାଦରେ ବିରାଟ ଛନ୍ଦିହେବାର ସମ୍ଭାବନା ରହିଛି ।
ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପ୍ରଥମ ବ୍ୟାଟିଂ କରି ଭାରତ ସାମ୍ନାରେ ୨୮୮ ରନ୍ର ଲକ୍ଷ୍ୟ ରଖିଛି । ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଘରୋଇ ଟିମ ୨-୦ରେ ଆଗୁଆ ଥିବାବେଳେ କ୍ଲିନସୁଇପ ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଟେଷ୍ଟ ସିରିଜ ହାରିସାରିଥିବା ଭାରତୀୟ ଟିମ ଶେଷ ଦିନିକିଆକୁ ଜିତି ସମ୍ମାନରକ୍ଷା ଲକ୍ଷ୍ୟରେ ରହିଛି । ମ୍ୟାଚ୍ରେ ବିରାଟ ୬୫ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳି ପୁଣି ଲେଗସ୍ପିନର କେଶବ ମହାରାଜଙ୍କ ଶିକାର ହୋଇଛନ୍ତି ।