ହାଇଦ୍ରାବାଦ: ଭାରତୀୟ ଦଳର ଭେଟେରାନ ବ୍ୟାଟର ବିରାଟ କୋହଲି ଏବେ ନିଜର ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଦୀର୍ଘ 14 ମାସ ପରେ ଟି20 ଦଳକୁ ଫେରିଥିବା କୋହଲି ନିଜର ପ୍ରଥମ ମ୍ୟାଚ୍ରେ ହିଁ ଏହାକୁ ପ୍ରମାଣିତ କରିଛନ୍ତି । ଏବେ ବିରାଟ କୋହଲିଙ୍କ ପାଇଁ ଆସୁଛି ରେକର୍ଡ ବ୍ରେକିଂ ସିଜିନ୍ । ଜାନୁଆରୀ 25ରୁ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିବ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା । ଏହି ଶୃଙ୍ଖଳାରେ ଏକାଧିକ ରେକର୍ଡ ଭାଙ୍ଗିବା ପାଇଁ ବିରାଟ କୋହଲିଙ୍କ ନିକଟରେ ସୁଯୋଗ ରହିବ । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ଶୃଙ୍ଖଳାରେ କୋହଲି ପ୍ରଦର୍ଶନ କରିଥିବା ଫର୍ମକୁ ଦେଖିଲେ ଜଣାପଡ଼ୁଛି, କୋହଲିଙ୍କ ପାଇଁ ଏସବୁ ରେକର୍ଡ ଭାଙ୍ଗିବା ବିଶେଷ କଷ୍ଟ ହେବନି ।
2000 ରନ ପୂରଣ କରିବେ କୋହଲି: ଇଂଲଣ୍ଡ ବିପକ୍ଷ ଟେଷ୍ଟରେ 2000 ରନ ପୂରଣ କରିବେ କୋହଲି । ସେ ଏହି ମାଇଲ ଖୁଣ୍ଟରୁ କେବଳ 9 ରନ ଦୂରରେ ରହିଛନ୍ତି । କୋହଲିଙ୍କ ପୂର୍ବରୁ ଭାରତ ଏବଂ ଇଂଲଣ୍ଡର କେବଳ 4 ଜଣ ଖେଳାଳି ଟେଷ୍ଟ୍ କ୍ରିକେଟ୍ରେ 2000 ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ଇଂଲଣ୍ଡ ବିପକ୍ଷରେ 53 ପାଳିରୁ 2535 ରନ ସଂଗ୍ରହ କରିଛନ୍ତି । ସେହିଭଳି ଭାରତ ବିପକ୍ଷରେ ସର୍ବାଧିକ ଟେଷ୍ଟ ରନ କରିଥିବା ଇଂରାଜୀ ପ୍ଲେୟରଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଜୋ ରୁଟ୍ । ସେ ଭାରତ ବିପକ୍ଷରେ 45 ଟେଷ୍ଟ ପାଳିରୁ 2526 ରନ ସଂଗ୍ରହ କରିଛନ୍ତି । ଏହି ତାଲିକାରେ 2ୟ ଭାରତୀୟ ଭାବେ ସୁନୀଲ ଗାଭାସ୍କରଙ୍କ ରେକର୍ଡ ରହିଛି । 67 ଟେଷ୍ଟ ପାଳିରୁ ଗାଭାସ୍କର ଇଂଲଣ୍ଡ ବିପକ୍ଷରେ 2483 ରନ ସଂଗ୍ରହ କରିଛନ୍ତି । ଏହି ଭାରତୀୟ କିମ୍ବଦନ୍ତୀ ତାଲିକାରେ ନିଜ ନାଁ ଯୋଡ଼ିବାକୁ ଯାଉଛନ୍ତି କିଙ୍ଗ୍ କୋହଲି । ସେ ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ 50 ପାଳି ଖେଳି 1991 ଟେଷ୍ଟ ରନ୍ ସ୍କୋର କରିଛନ୍ତି ।