ଓଡିଶା

odisha

ETV Bharat / sports

Border Gavaskar Trophy: ଦିଲ୍ଲୀରେ ବିରାଟ ରେକର୍ଡ, ପଛରେ ପଡ଼ିଲେ ସଚିନ ଓ ପଣ୍ଟିଂ - ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ

ବର୍ଡର ଗାଭାସ୍କର ଟ୍ରଫି ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ । କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୫୦୦୦ ରନ ପୂରଣ କରିଛନ୍ତି । ଏହି ସଫଳତା ହାସଲ କରିବରେ ସେ ବିଶ୍ବରେ ଦ୍ରୁତତମ ଖେଳାଳି ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୫୦୦୦ ରନ
ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୫୦୦୦ ରନ

By

Published : Feb 19, 2023, 9:41 PM IST

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିରେ ଲଗାତାର ଦ୍ବିତୀୟ ମ୍ୟାଚ୍‌ ଜିତି ମଜବୁତ ସ୍ଥିତିରେ ରହିଛି ଭାରତ । ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ କଙ୍ଗାରୁ ଦଳକୁ ୬ ୱିକେଟରେ ହରାଇ ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି ଭାରତ । ତେବେ ଏହି ମ୍ୟାଚ୍‌ରେ କ୍ରିକେଟ୍‌ର କିଙ୍ଗ୍‌ ଭାବେ ପରିଚିତ ବିରାଟ କୋହଲି ଆଉ ଏକ ସଫଳତା ହାସଲ କରିଛନ୍ତି । ଦ୍ବିତୀୟ ମ୍ୟାଚ୍‌ର ଦ୍ବିତୀୟ ପାଳିରେ କେବଳ ୨୦ ରନ କରି ଆଉଟ୍‌ ହୋଇଯାଇଥିବା କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୫୦୦୦ ରନ ସଂଗ୍ରହ କରିବାରେ ଦ୍ରୁତତମ ଖେଳାଳି ହୋଇଛନ୍ତି ।

ନୂଆଦିଲ୍ଲୀ ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌କୁ ଭାରତ ଜିତି ନେଇଛି । ଏଥିରେ କିଙ୍ଗ୍‌ କୋହଲି ପ୍ରଥମ ପାଳିରେ ୪୪ ଓ ଦ୍ବିତୀୟ ପାଳିରେ କେବଳ ୨୦ ରନ କରିବାରେ ସଫଳ ହୋଇଥିଲେ । ତେବେ ଏହା ସତ୍ତ୍ବେ କୋହଲି ନିଜ ନାମରେ ଏକ ବିଶ୍ବ କିର୍ତ୍ତୀମାନ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦୦ ରନ ସଂଗ୍ରହ କରିଛନ୍ତି । ଏହି ମାଇଲ ଖୁଣ୍ଟକୁ ସେ କେବଳ ୫୪୯ ପାଳିରେ ଅତିକ୍ରମ କରିଛନ୍ତି ।

ସବୁଠାରୁ କମ ଅନ୍ତର୍ଜାତୀୟ ପାଳି ଖେଳି ଏଭଳି ରେକର୍ଡ କରିଛନ୍ତି ବିରୋଟ କୋହଲି । ବିଶ୍ବ କ୍ରିକେଟରେ ସବୁଠାରୁ ଦ୍ରୁତତମ ୨୫୦୦୦ ରନ ସଂଗ୍ରହକାରୀ ଖେଳଳି ଭାବେ ବିରାଟ କୋହଲି ଏହି ବିଶ୍ବ କିର୍ତ୍ତୀମାନ ହାସଲ କରିଛନ୍ତି । ଏହି ରେକର୍ଡ କରି ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଂଙ୍କୁ ପଛରେ ପକାଇଛନ୍ତି କୋହଲି । ରିକି ପଣ୍ଟିଂ ୫୮୮ ପାଳିରେ ୨୫୦୦୦ ଅନ୍ତର୍ଜାତୀୟ ରନ ପୂରଣ କରିଥିଲେ । ଏହାପରେ ସଚିନ ତେନ୍ଦୁଲକର କେବଳ ୫୭୭ ପାଳିରେ ଏହି ରେକର୍ଡ କରି ରିକି ପଣ୍ଟିଂଙ୍କୁ ଟପିଯାଇଥିଲେ । ତେବେ ଆଜି ନିଜର ୫୪୯ ତମ ପାଳିରେ ବିରାଟ କୋହଲି ଉଭୟଙ୍କୁ ପଛରେ ପକାଇଛନ୍ତି ।

ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚ୍‌ର ଦ୍ବିତୀୟ ପାଳିରେ ବିରାଟ ଏହି ରେକର୍ଡ ହାସଲ କରିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ସମୁଦାୟ ୬୪ ରନ ସଂଗ୍ରହ କରିଛନ୍ତି । ପ୍ରଥମ ପାଳିରେ ୮୪ ବଲରୁ ୪ଟି ଚୌକା ସହାୟତାରେ ୪୪ ରନ ସଂଗ୍ରହ କରି ଆଉଟ୍‌ ହୋଇଥିଲେ । ଏହାପରେ ଦ୍ବିତୀୟ ଇନିଂସରେ ସେ ୩୧ ବଲ ଖେଳି ୩ ଚୌକା ବଳରେ ୨୦ ରନ କରିଥିଲେ । ଏହି ସମୟରେ ଟଡ୍‌ ମର୍ଫି ବୋଲିଂ କରୁଥିବାବେଳେ ଆଲେକ୍ସ କ୍ୟାରୀଙ୍କ ଦ୍ବାରା ଷ୍ଟମ୍ପିଂ ଆଉଟ ହୋଇଥିଲେ କୋହଲି । ନିଜ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଷ୍ଟମ୍ପିଂ ଆଉଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details