ହାଇଦ୍ରାବାଦ:ମହିଳା ଟ୍ରାଇ ସିରିଜରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି । ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ବିପକ୍ଷ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ବିଜୟ ଧାରା ବଜାୟ ରଖିଛି ୱେମେନ ଇନ ବ୍ଲୁ । ଗତକାଲି ତ୍ରିରାଷ୍ଟ୍ରୀୟ ମହିଳା ଟି-ଟ୍ବେଣ୍ଟି ସିରିଜର ଚତୁର୍ଥ ମୁକାବିଲାରେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତ । ଇଣ୍ଡିଜକୁ 8 ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ଦିପ୍ତୀ ଶର୍ମାଙ୍କ ଦମଦାର ବୋଲିଂ ଦଳ ବିଜୟରେ ସହାୟକ ହୋଇଥିଲା । ଦିପ୍ତୀ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଅଧିନାୟିକା ହର୍ମନପ୍ରୀତ । ଭଲ ବ୍ୟାଟିଂ ଆରମ୍ଭ କରିଥିଲା ୱେଷ୍ଟ ଇଣ୍ଡିଜ । ମାତ୍ର ପରେ ଭାରତୀୟ ବୋଲରଙ୍କ ଆଟାକରେ ତିଷ୍ଠି ପାରି ନଥିଲେ ଇଣ୍ଡିଜ ବ୍ୟାଟର । ତୃତୀୟ ଓଭରରେ ଭାରତକୁ ପ୍ରଥମ ସଫଳତା ମିଳିଥିଲା । ଦଳୀୟ ସ୍କୋର 18ରେ ଇଣ୍ଡିଜର ପ୍ରଥମ ୱିକେଟ ପତନ ହୋଇଥିଲା । ରାସାଦା ୱିଲିୟମସ ଦିପ୍ତୀ ଶର୍ମାଙ୍କ ଶିକାର ହୋଇଥିଲା । 8 ରନ କରି ପାଭିଲିୟନ ଫେରିଥିଲେ ରାସାଦା । ଏହାପରେ ପୁଣି ଦିପ୍ତୀଙ୍କ ଶିକାର ହୋଇଥିଲେ ଶେମିନ କ୍ୟାମ୍ପବେଲେ । ଖାତା ଖୋଲି ପାରି ନଥିଲେ ଶେମିନ । ହଲେନ ମାଥ୍ୟୁ ସ୍ଥିତି ସମ୍ଭାଳି ଖେଳିଥିଲେ । ତାଙ୍କୁ ସାଥ ଦେଉଥିବା ଜୋସେଫ ଏଲବିଡ୍ଲୁ ହୋଇଥିଲେ । ହଲେନ ମାଥ୍ୟୁ 34 ରନ୍ କରି ପୂଜା ବସ୍ତ୍ରାକାରଙ୍କ ବଲରେ ଆଉଟ ହୋଇଥିଲେ ।
ହଲେନ ମାଥ୍ୟୁ ଓ ଶାବିକାଙ୍କୁ ଛାଡି ଦେଲେ ଅନ୍ୟ କେହି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଦଳୀୟ ସ୍କୋର 54 ବେଳକୁ ଦଳ 4ଟି ୱିକେଟ ହରାଇଥିଲା । 17ତମ ଓଭରରେ ପୁଣି ଦିପ୍ତୀ ଶର୍ମାଙ୍କ ଶିକାର ହୋଇଥିଲେ ଶାବିକା ଗାଜନାବି । 12 ରନ କରି ଆଉଟ ହୋଇଥିଲେ । ଶେଷ ଓଭରରେ ଅଲିୟାହଙ୍କୁ ଆଉଟ କରିଥିଲେ ପୂଜା । ନିର୍ଦ୍ଧାରିତ 20 ଓଭରରେ ଇଣ୍ଡିଜ 6 ୱିକେଟ ହରାଇ 94 ରନ କରିଥିଲା । ଦଳୀୟ ସ୍କୋର ତିନି ଅଙ୍କ ଛୁଇଁବା ଦଳ ପାଇଁ କାଠିକର ପାଠ ହୋଇଥିଲା । ଦିପ୍ତୀ ଶର୍ମା ଇଣ୍ଡିଜର ବିପର୍ଯ୍ୟୟ ଘଟାଇଥିଲେ । 11 ରନ ଦେଇ 3 ୱିକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ରାଜେଶ୍ବରୀ ଗାଏକ୍ବାର୍ଡ ତାଙ୍କର 50ତମ ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି ।