ହାଇଦ୍ରାବାଦ:ମହିଳା ଟ୍ରାଇ ସିରିଜରେ ଭାରତ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଲଗାତାର ଦ୍ବିତୀୟ ମୁକାବିଲା ଜିତିଛି ଓମେନ ଇନ ବ୍ଲୁ । ସୋମବାର ଖେଳାଯିବା ଦ୍ବିତୀୟ ଟ୍ରାଇ ସିରିଜ ମୁକାବିଲା ୱେଷ୍ଟ ଇଣ୍ଡିଜକୁ 56ରନରେ ପରାସ୍ତ କରି ବିଜୟଧାରା ବଜାୟ ରଖିଛି ଭାରତୀୟ ମହିଳା କ୍ରିକେଟ ଦଳ । ସ୍ମୃତି ମାନ୍ଧନା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସ୍ମୃତି ମାନ୍ଧନା ଓ ୟସ୍ତିକା ଭାଟିଆ ପାଳି ଆରମ୍ଭ କରିଥିଲେ । ଉଭୟ ଭଲ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 33ରେ ଭାରତ ତାର ପ୍ରଥମ ୱିକେଟ ହରାଇଥିଲା । 5ତମ ଓଭରରେ ୟାସ୍ତିକା କାରିସମା ରାମହାରାକଙ୍କ ବଲର ଶିକାର ହୋଇଥିଲେ । 23 ବଲ୍ରେ 18 ରନ କରି ସଅଳ ପାଭେଲିୟନ ଫେରିଥିଲେ ୟାସ୍ତିକା । ସ୍ମୃତିଙ୍କୁ ସାଥ ଦେଇଥିଲେ ହର୍ଲିନ ଦେଓଲ । ମାତ୍ର ସେ ବେଶୀ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ମାତ୍ର 12 ରନକରି ଏଲବି ହୋଇଥିଲେ ହର୍ଲିନ । ଏହାପରେ ଅଧିନାୟକ ହର୍ମନପ୍ରୀତ କୌର ଓ ସ୍ମୃତି ଦଳର ଦାୟିତ୍ବ ନେଇଥିଲେ । ଉଭୟ ରନ ଗାଡିକୁ ଆଗକୁ ନେଇଥିଲେ । ଏ ଯୋଡିକୁ ଭାଙ୍ଗିବା ଇଣ୍ଡିଜ ବୋଲରଙ୍କ ପାଇଁ କାଠିକାର ପାଠ ହୋଇଥିଲା । ଉଭୟ ଚୌକା ଛକା ବର୍ଷା କରିଥିଲେ । ନିର୍ଦ୍ଧାରିତ 20 ଓଭରରେ ଭାରତ 2 ୱିକେଟ ହରାଇ 167 ରନ କରିଥିଲା । ଇଣ୍ଡିଜକୁ 168 ରନ ବିଜୟ ଲକ୍ଷ୍ୟ ଦେଇଥିଲା । ସ୍ମୃତି ମାନ୍ଧନା 51 ବଲ ଖେଳି 74 ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ହର୍ମନପ୍ରୀତ କୌର 56 ରନ କରିଥିଲେ ।