ବେଙ୍ଗାଲୁରୁ:ଜାରି ରହିଛି କ୍ରିକେଟ ମହାକୁମ୍ଭ । ଏ ନେଇ ଚାରିଆଡେ କ୍ରିକେଟ କ୍ରେଜ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତର ଅନ୍ୟତମ କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ଅବସର ନେଇ ଖୁଲାସା କରିଛନ୍ତି । ଯେତେବେଳେ ୨୦୧୯ ବିଶ୍ବକପରେ ସେମି ଫାଇନାଲ ମ୍ୟାଚ୍ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିଲା । ହେଲେ ଦୁର୍ଭାଗ୍ୟବଶତଃ ଏହି ମ୍ୟାଚ୍ ହାରିବା ଫଳରେ ଭାରତ ଫାଇନାଲରେ ପ୍ରବେଶ କରିପାରିନଥିଲା । ସେତେବେଳେ ହିଁ ଧୋନି ଅବସର ନେବେ ବୋଲି ନିଷ୍ପତ୍ତି ନେଇଥିଲେ । ହେଲେ ଏହି ନିଷ୍ପତ୍ତିର ପ୍ରାୟ ବର୍ଷେ ପରେ ଅବସର ନେଇଥିବା କହିଛନ୍ତି ଧୋନି ।
୨୦୧୯ ବିଶ୍ବକପ୍ ଇଂଲଣ୍ଡରେ ଆୟୋଜିତ ହୋଇଥିଲା । ସେମିଫାଇନାଲ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ ଜିତିବା ଲାଗି ଭାରତ ଆଗରେ ରହିଥିଲା ୨୪୦ ରନ୍ ଟାର୍ଗେଟ । ହେଲେ ବ୍ୟାଟିଂ ବିପର୍ଯ୍ୟସ୍ତ ଯୋଗଁ ଏହି ରନ୍ କରିବାରେ ବିଫଳ ହୋଇଥିଲା ଭାରତୀୟ ଟିମ୍ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ୭୭ ରନ୍ ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ବି ଭାରତ ପରାଜୟ ସ୍ବୀକାର କରିଥିଲା । ଯେତେବେଳେ ମାର୍ଟିନ ଗପଟିଲ୍ ମଞ୍ଚେଷ୍ଟରରେ ଧୋନିଙ୍କୁ ରନ୍ ଆଉଟ୍ କରିଥିଲେ ସେତେବେଳେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା ।
ଏହା ବି ପଢନ୍ତୁ- ସଠିକ୍ ସମୟରେ ମାହୀ କ୍ରିକେଟରୁ ଅବସର ନେବେ: ପିଲାଦିନ କୋଚ
ତେବେ ଏହି ବିଫଳତା ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ଇଭେଣ୍ଟରେ ଦେଶବାସୀଙ୍କ ସମ୍ମୁଖରେ ପ୍ରଥମ ଥର ଧୋନି ଆଲୋଚନା କରିଛନ୍ତି । ଏ ନେଇ ଧୋନି କହିଛନ୍ତି, " ଏହି ହାର ମୋତେ ନିରାଶ କରିଥିଲା । ମୋ ପାଇଁ ସେହି ଦିନ ଯେପରି କ୍ରିକେଟ ଖେଳିବାର ଶେଷ ଦିନ ଥିଲା । ଏହା ସତ ଯେ ମୁଁ ବର୍ଷେ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲି, କିନ୍ତୁ ମୋ ପାଇଁ ସେହି ଦିନ ମୋ କ୍ୟାରିଅରର ଶେଷ ଦିନ ଥିଲା । ଆମ କ୍ରିକେଟରମାନଙ୍କୁ ଫିଟନେସ ଲାଗି କିଛି ମେସିନ ଦିଆଯାଇଥାଏ । ଏହି ପରାଜୟ ପରେ ମୁଁ ଏହି ମେସିନଗୁଡ଼ିକୁ ଫେରସ୍ତ ନେବା ଲାଗି ମୋ ଟ୍ରେନରଙ୍କୁ କହିଥିଲି । ହେଲେ ସେ ମୋତେ ଏହା ରଖିବାକୁ କହିଥିଲେ । ସେତେବେଳେ ମୁଁ ତାଙ୍କୁ କେମିତି କହିଥାନ୍ତି ଯେ ଏହାକୁ ମୁଁ ଆଉ ବ୍ୟବହାର କରୁନାହିଁ । ସେହି ସମୟରେ ଅବସର ସମ୍ପର୍କରେ ମୁଁ ଘୋଷଣା କରିବାକୁ ଚାହୁଁନଥିଲି ।"