ଅହମ୍ମଦାବାଦ:ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି(ବୁଧବାର) ଅନ୍ତିମ ତଥା ନିର୍ଣ୍ଣାୟକ ଟି-ଟ୍ବେଣ୍ଟି ମୁକାବିଲା ହେବ । ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ପ୍ରଥମ ଦୁଇ ମୁକାବିଲା 1-1ରେ ବରାବର ରହିଛି । ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ ନିର୍ଣ୍ଣାୟକ ହେବ । ଶେଷ ଟି-ଟ୍ବେଣ୍ଟି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ମ୍ୟାନ ଇନ ବ୍ଲୁ । ସେହିପରି ଦିନିକିଆର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ । ଶେଷ ଟି-ଟ୍ବେଣ୍ଟି ଜିତି ଭାରତରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ରହିଛି କିୱି ଦଳ ।
ନିର୍ଣ୍ଣାୟକ ମ୍ୟାଚରେ ଭାରତ ଚୂଡାନ୍ତ ଏକାଦଶରେ କିଛି ପରିବର୍ତ୍ତନ ହୋଇପାରେ । ଶେଷ ମ୍ୟାଚରେ ପୃଥ୍ବୀ ଶ ଖେଳିବାର ସମ୍ଭାବନା ରହିଛି । ରୋହିତ, କୋହଲି ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଭାରତର ଟପ ଅର୍ଡରେ ବ୍ୟାଟର ଶୁଭମନ ଗିଲ, ଇଶାନ କିଶନ ଓ ରାହୁଲ ତ୍ରିପାଠୀ ବିଫଳ ହୋଇଛନ୍ତି । ତେଣୁ ପୃଥ୍ବୀ ଶଙ୍କୁ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ରହିଛି । ପୂର୍ବ ମ୍ୟାଚରେ ୱାଶିଂଟନ ସୁନ୍ଦରଙ୍କ ଭଲ ପ୍ରଦର୍ଶନ ରହିଥିଲା । ପ୍ରଥମ ଟି-ଟ୍ବେଣ୍ଟିରେ ଭାରତ ପରାସ୍ତ ହୋଇଥିଲେ ବି ୱାଶିଂଟନ ସୁନ୍ଦର ଏକ ଦକ୍ଷତାପୂର୍ଣ୍ଣ ପ୍ରଦର୍ଶନ କରିଥିଲେ । ଆଜି ତାଙ୍କଠୁ କିଛି ସମାନ ପ୍ରଦର୍ଶନ ଆଶା କରାଯାଉଛି । ବିଶେଷ କରି ଭାରତର ଓପନରଙ୍କ ଉପରେ ନଜର ରହିବ । ଶୁଭମନ କିମ୍ବା ଇଶାନଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦିଆଯାଇ ପୃଥ୍ବୀ ଶଙ୍କୁ ସାମିଲ କରାଯାଇପାରେ । ବୋଲିଂ ବିଭାଗରେ ମଧ୍ୟ ପରିବର୍ତ୍ତନ କରିପାରେ ଟିମ୍ ଇଣ୍ଡିଆ । ସ୍ପିନରଙ୍କୁ ବିଶ୍ରାମ ଦିଆଯାଇ ଜଣେ ପେସ୍ ବୋଲରଙ୍କୁ ସାମିଲ କରାଯାଇପାରେ । ଭାରତ ଘରୋଇ ଗ୍ରାଉଣ୍ଡରେ ରେକର୍ଡକୁ ବଜାୟ ରଖବା ଲକ୍ଷ୍ୟରେ ରହିଛି ।