ମେଲବୋର୍ଣ୍ଣ:ଅଧିନାୟକ ପଦ ଛାଡିଲେ ଅଷ୍ଟ୍ରେଲିଆ ଟେଷ୍ଟ ଟିମର କ୍ୟାପେଟନ ଟିମ ପେଇନ୍ । ବହୁ ପ୍ରତୀକ୍ଷିତ ହାଇଭୋଲଟେଜ ଆସେସ ଟେଷ୍ଟ ସିରିଜର ମାତ୍ର ୩ ସପ୍ତାହ ପୂର୍ବରୁ ଅଧିନାୟକ ପଦରୁ ଓହରି ଯାଇଛନ୍ତି ପେଇନ୍ ।
ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଆସେସ ଟେଷ୍ଟ ଡିସେମ୍ବରରେ ଖେଳାଯିବ । ସିରିଜର ପ୍ରଥମ ଟେଷ୍ଟ ଡିସେମ୍ବର ୮ରେ ଗାବ୍ବା, ବ୍ରିସବେନରେ ଖେଳାଯିବ । କ୍ରିକେଟ ଅଷ୍ଟ୍ରେଲିଆ(CA) ପକ୍ଷରୁ ଏହି ଘୋଷଣା କରାଯାଇଛି।
ସୂଚନା ଅନୁଯାୟୀ, ପେଇନଙ୍କ ବିରୁଦ୍ଧରେ ଜଣେ ମହିଳା ସହକର୍ମୀଙ୍କୁ କିଛି ଅଶାଳୀନ ମେସେଜ ପଠାଇଥିବା ଅଭିଯୋଗ ରହିଛି । ଏହି ଘଟଣା ୨୦୧୭ରେ ଘଟିଥିଲା ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆ ଓ ଟାସମାନିଆ କ୍ରିକେଟର ଅଧିକାରୀ ପେଇନଙ୍କ ଏପରି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇଛନ୍ତି । ଗ୍ରାଫିକ୍ସ ଯୌନ ଟିପ୍ପଣୀ ଓ ଅଶାଳୀନ ଇଙ୍ଗିତ ଥିବା ଫଟୋଗ୍ରାଫ୍ ଜଣେ ମହିଳା ସହକର୍ମୀଙ୍କୁ ପେଇନ ପଠେଇଥିଲେ ।
୩୬ ବର୍ଷୀୟ ପେଇନଙ୍କୁ ବର୍ଷ ୨୦୧୮ରେ ଦକ୍ଷିଣ ଆଫ୍ରିକାରେ ବଲ୍ ଟାମ୍ପରିଂ ସ୍କାଣ୍ଡାଲ ପରେ କ୍ୟାପଟେନ ପଦ ମିଳିଥିଲା । ଏକ ଭିଡିଓ ବାର୍ତ୍ତାରେ କ୍ୟାପଟେନ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ଓ ଅଷ୍ଟ୍ରେଲିଆ କ୍ରିକେଟର ସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ ସେ ଏହି କଷ୍ଟକର ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ଟିମର ଟେଷ୍ଟ ସ୍କ୍ବାଡ୍ର ସଦସ୍ୟ ରହିବାକୁ ସ୍ପଷ୍ଟ କରିଛନ୍ତି ।
ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ(CA) ପେଇନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛି ଓ ନୂଆ କ୍ୟାପଟେନ ଖୁବଶୀଘ୍ର ନିଯୁକ୍ତ କରିବା ନେଇ ଘୋଷଣା କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ