ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ରେ ଆରମ୍ଭ ହେବ ଏସିଆ କପ୍ ୨୦୨୩ । ଏଥିପାଇଁ ବହୁ ମାନସମନ୍ଥନ ପରେ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଘୋଷଣା ହେଇଥିବା ଏହି ୧୭ ଜଣିଆ ଦଳରେ ଏକମାତ୍ର ନୂଆ ଚେହେରା ଭାବେ ହାଇଦ୍ରାବାଦ ପାଇଁ ଘରୋଇ କ୍ରିକେଟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍ ଖେଳିଥିବା ତିଲକ ବର୍ମା ରହିଛନ୍ତି । ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିଲକ ଅନ୍ତର୍ଜାତୀୟ ଟି୨୦ରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ତାଙ୍କୁ ମଧ୍ୟ ଦିନିକିଆ ଦଳରେ ଚୟନ କରାଯାଇଛି । ତେବେ ସିଧାସଳଖ ଏସିଆ କପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ଦିନିକିଆ ଡେବ୍ୟୁ କରିବେ ବୋଲି ସ୍ବପ୍ନରେ ମଧ୍ୟ ଭାବିନଥିଲେ ବୋଲି କହିଛନ୍ତି । ତିଲକ ଏପରି କହୁଥିବାର ଭିଡିଓ ବିସିସିଆଇ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ସେୟାର କରିଛି ।
ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ ଗସ୍ତରେ ତିଳକ ବର୍ମା ଭାରତ ପାଇଁ ଡେବ୍ୟୁ କରି ନିଜର ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ । ସେ ବର୍ତ୍ତମାନ ଟିମ ଇଣ୍ଡିଆ ସହିତ ଆୟର୍ଲାଣ୍ଡ ଗସ୍ତରେ ଅଛନ୍ତି । ତିଲକ ଏପର୍ଯ୍ୟନ୍ତ ୭ ଟି୨୦ ମ୍ୟାଚ୍ରେ ହାରାହାରି ୩୪.୮ରେ ୧୭୪ ରନ ସଂଗ୍ରହ କରିସାରିଲେଣି । ବିସିସିଆଇ ସେୟାର କରିଥିବା ଭିଡିଓରେ ତିଲକ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଏଥିରେ ସେ କହିଛନ୍ତି, "ମୁଁ ସବୁବେଳେ ଭାରତ ପାଇଁ ଦିନିକିଆ କ୍ରିକେଟ୍ ଖେଳିବାର ସ୍ବପ୍ନ ଦେଖିଥିଲି । ହେଲେ ସିଧାସଳଖ ଏସିଆ କପ୍ ପାଇଁ ଚୟନ ହେବି ବୋଲି ମୁଁ କେବେ ଭାବି ନଥିଲି । ଏହା ମୋ ପାଇଁ ଏକ ବଡ଼ କଥା । ମୁଁ କିଛିଦିନ ପୂର୍ବରୁ ଭାରତ ପାଇଁ ଟି୨୦ରେ ଡେହବ୍ୟୁ କରିଥିଲି । ଏକ ମାସ ମଧ୍ୟରେ ଦିନିକିଆ ଦଳରେ ମନୋନୀତ ହେଲି ।"