ଦୂରହମ: ପଦାରେ ପଡିଲା ଭାରତୀୟ କ୍ରିକେଟ ଟିମର ଭୁଲାପଣ । ପୂର୍ବତନ କ୍ରିକେଟରଙ୍କୁ ବର୍ତ୍ତମାନର ଭାରତୀୟ କ୍ରିକେଟ ଟିମର ସମ୍ମାନ ଓ ସ୍ମରଣ ନେଇ ଉଠିଲା ପ୍ରଶ୍ନ । ବିଶ୍ବର ସବୁଠୁ ବିତ୍ତଶାଳୀ କ୍ରିକେଟ ବୋର୍ଡ ହେଉଛି ଭାରତୀୟ କ୍ରିକେଟ ବୋର୍ଡ(BCCI) । ପୂର୍ବତନ ଖେଳାଳିଙ୍କ ସ୍ମରଣୀୟ କିର୍ତ୍ତୀମାନ, ଜନ୍ମଦିନ, ବର୍ତ୍ତମାନର କ୍ରିକେଟରଙ୍କ ପ୍ରଭାବୀ ପ୍ରଦର୍ଶନଙ୍କୁ ବୋର୍ଡ ସ୍ମରଣ କରିଥାଏ । ମାତ୍ର ମଙ୍ଗଳବାର ଏଥିରେ କିଛି ବ୍ୟତିକ୍ରମ ଦେଖାଯାଇଛି । ନିକଟରେ ହୃଦଘାତରେ ମୃତ୍ୟୁବରଣ କରିଥିବା ୧୯୮୩ କ୍ରିକେଟ ବିଶ୍ବକପ ବିଜେତା ଟିମର ପ୍ରମୁଖ ସଦସ୍ୟ ଯଶପାଲ ଶର୍ମାଙ୍କ ପ୍ରତି କିପରି ସମ୍ମାନ ରହିଛି ଦର୍ଶାଇଛି ।
ମଙ୍ଗଳବାର ଗୋଟିଏ ଦିନରେ ଭାରତୀୟ କ୍ରିକେଟ ଟିମର ଦୁଇଟି ଟିମ ଭିନ୍ନ ଭିନ୍ନ ଟିମ ବିପକ୍ଷରେ ଖେଳୁଛି । ଇଂଲଣ୍ଡ ଗସ୍ତରେ ଥିବା ଟେଷ୍ଟ ଟିମ ଇଣ୍ଡିଆ କାଉଣ୍ଟି ଏକାଦଶ ବିପକ୍ଷରେ ୩ ଦିନିକିଆ ଅଭ୍ୟାସ ମ୍ୟାଚ ଖେଳୁଥିବାବେଳେ ଓ ଶ୍ରୀଲଙ୍କା ଗସ୍ତରେ ଥିବା ସୀମିତ ଓଭର ଟିମ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳୁଛି ।
ତେବେ ଇଂଲଣ୍ଡରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଟେଷ୍ଟ ଟିମ ଯଶପାଲଙ୍କୁ ସ୍ମରଣ କରିବା ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କଳାବ୍ୟାଚ୍ ପିନ୍ଧି ଖେଳିଛନ୍ତି । ମାତ୍ର ଗତ ଶ୍ରୀଲଙ୍କାରେ ଗତ ୩ ଦିନ ମଧ୍ୟରେ ଦୁଇଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିବା ସୀମିତ ଓଭର ଭାରତୀୟ ଟିମ ଏହା ସଂପୂର୍ଣ୍ଣ ଭୁଲିଯାଇଛି ।
ଭାରତ ପକ୍ଷରୁ ୪୨ଟି ଅନ୍ତର୍ଜାତୀୟ ଦିନିକିଆ ଓ ୩୭ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଯଶପାଲ ଶର୍ମା । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୧୯୮୩ କ୍ରିକେଟ ବିଶ୍ବକପରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୁମିକା ନିଭାଇଥିଲେ ସେ । ଏହି ସଂସ୍କରଣ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ପକ୍ଷରୁ ଦ୍ବିତୀୟ ସର୍ବାଧିକ ରନସଂଗ୍ରହକାରୀ ଥିଲେ ଶର୍ମା । ଜୁଲାଇ ୧୩ରେ ୬୬ ବର୍ଷ ବୟସରେ ହୃଦଘାତରେ ଶର୍ମାଙ୍କ ପରଲୋକ ଘଟିଥିଲା ।
ଯଶପାଲ ଶର୍ମାଙ୍କ ୧୯୮୩ ବିଶ୍ବକପ ବିଜୟୀ ଟିମର ସାଥୀ ରବି ଶାସ୍ତ୍ରୀ ବର୍ତ୍ତମାନ ଟେଷ୍ଟ ଟିମ ଇଣ୍ଡିଆର ମୁଖ୍ୟ କୋଚ ରହିଛନ୍ତି । ଫଳରେ ଟେଷ୍ଟ ଟିମ ଶର୍ମାଙ୍କୁ ସ୍ମରଣ କରିଛି । ମାତ୍ର ରାହୁଲ ଦ୍ରାବିଡଙ୍କ ନେତୃତ୍ବରେ ଶ୍ରୀଲଙ୍କା ଗସ୍ତ କରିଥିବା ସୀମିତ ଓଭର ଭାରତୀୟ କ୍ରିକେଟ ଟିମ ଏହା ଭୁଲିଯାଇଛି । ଶର୍ମାଙ୍କ ସହ ଦ୍ରାବିଡ ଖେଳିନାହାନ୍ତି । ତେବେ ଦ୍ରାବିଡ ଟିମ ଇଣ୍ଡିଆ ପକ୍ଷରୁ ଖେଳୁଥିବାବେଳେ ସଂଯୋଗବଶତଃ ଜାତୀୟ ଚୟନକର୍ତ୍ତା ଥିଲେ ଯଶପାଲ ଶର୍ମା ।