ହାଇଦ୍ରାବାଦ: ଆଗାମୀଶ୍ରୀଲଙ୍କା ବିପକ୍ଷ ଟି-20 ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଟି-20 ସିରିଜ ପାଇଁ 16 ଜଣିଆ ଦଳ ଘୋଷଣା ହୋଇଥିବାବେଳେ ମଙ୍ଗ ଧରିବେ ହାର୍ଦ୍ଦିକ ପାଣ୍ଡ୍ୟା । ସୂର୍ଯ୍ୟକୁମାର ଯାଦବଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ରୋହିତ ଶର୍ମା ଅଧିନାୟକ ରହିଛନ୍ତି । ଏହି ଦିନିକିଆ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ରହିଛନ୍ତି । ଟି-20ରେ ଶିବମ ମାଭି, ମୁକେଶ କୁମାର ନବାଗତ ଖେଳାଳି ଭାବେ ସାମିଲ ହୋଇଛନ୍ତି ।
ରୋହିତ ଶର୍ମା, କେଏଲ ରାହୁଲ, ଶ୍ରେୟସ ଆୟରଙ୍କୁ ଟି-20 ସିରିଜରୁ ବିଶ୍ରାମ ଦିଆଯାଇଛି । ଋଷବ ପନ୍ତଙ୍କୁ ସିରିଜରୁ ବାଦ ଦିଆଯାଇଛି । ରୋହିତଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଦଳର କମାନ ରହିବ । ସୂର୍ଯ୍ୟକୁମାର ଯାଦବ ଦଳ ଉପ ଅଧିନାୟକ ଦାୟିତ୍ବରେ ରହିବେ । ବାଂଲାଦେଶେ ବପିକ୍ଷ ଟେଷ୍ଟ ସିରିଜର ନେତୃତ୍ବ ନେଇଥିବା କେଏଲ ରାହୁଲଙ୍କୁ ଟି-20 ସିରିଜରୁ ଛୁଟି ଦିଆଯାଇଛି । ଟି-20ରେ 2 ଜଣ ନବାଗତା ଭାବେ ପେସ ବୋଲର ଶିବମ ମାଭି ଓ ମୁକେଶ କୁମାର ସ୍ଥାନ ପାଇଛନ୍ତି ।
ଦିନିକିଆରେ ରୋହିତ ଶର୍ମା ଦଳର ନେତୃତ୍ବ ନେବେ । ଦିନିକିଆରେ ଏକ ସନ୍ତୁଳିତ ଦଳ ଚୟନ କରାଯାଇଛି । ଫର୍ମରେ ଥିବା ସମସ୍ତ ଖେଳାଳିଙ୍କୁ ସ୍କ୍ବାର୍ଡରେ ସାମିଲ କରାଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ସୁଯୋଗ ପାଇଛନ୍ତି । ଦିନିକିଆରେ ପାଣ୍ଡ୍ୟା ଉପଅଧିନାୟକ ଦାୟିତ୍ବ ତୁଲାଇବେ । ମହମ୍ମଦ ସାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକ ପେସ ବୋଲିଂ ବିଭାଗ ସମ୍ଭାଲିବେ । ଅନେକ ଦିନ ପରେ କୁଳଦୀପ ଯାଦବ ଓ ୟୁଜିବେନ୍ଦ୍ର ଚହଲ ଯୋଡିକୁ ଦିନିକିଆରେ ଏକାଠୀ ଦେଖିବାକୁ ମିଳିବ । ରୋହିତ ଶର୍ମା, ଶୁଭମନ ଗିଲ ଓ ଇଶାନ କିଷନ ଓପନର ସ୍ଥାନ ସମ୍ଭାଳିବେ ।
ଜାନୁଆରୀରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ତିନି ଟିକିଆ ଟି୨୦ ଓ ତିନି ଟିକିଆ ଦିନିକିଆ ମ୍ୟାଚ ଖେଳିବ । ଜାନୁଆରୀ 3 ତାରିଖରେ ପ୍ରଥମେ ଟି୨୦ ମ୍ୟାଚ ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ଟି୨୦ ମ୍ୟାଚ ଜାନୁଆରୀ ୫ ତାରିଖରେ ଏବଂ ତୃତୀୟ ଟି୨୦ ମ୍ୟାଚ ଜାନୁଆରୀ ୭ ତାରିଖରେ ଖେଳାଯିବ । ଶ୍ରୀଲଙ୍କା ବିପକ୍ଷରେ ଟି୨୦ ମ୍ୟାଚ ପରେ ଭାରତ ଦିନିକିଆ ସିରିଜ ଖେଳିବ । ପ୍ରଥମ ଦିନିକିଆ ଗୌହାଟୀରେ ଜାନୁଆରୀ ୧୦ ତାରିଖରେ ଖେଳାଯିବ । ଦ୍ବିତୀୟ ଦିନିକିଆ ଜାନୁଆରୀ ୨୧ ତାରିଖ ରାୟପୁରରେ ଖେଳାଯିବ । ତୃତୀୟ ଦିନିକିଆ ଜାନୁଆରୀ ୨୪ ତାରିଖ ଇନ୍ଦୋରରେ ଖେଳାଯିବ।