ହାଇଦ୍ରାବାଦ: ଏସିଆନ୍ ଗେମ୍ସ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ୍ ଦଳ । ଏହି ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର କମାଣ ସମ୍ଭାଳିବେ ଋତୁରାଜ ଗାଏକ୍ୱାଡ । ଆଇପିଏଲ ଷ୍ଟାର ରିଙ୍କୁ ସିଂହଙ୍କୁ ପଡ଼ିଲା ଡକରା । ହେଲେ ମଉଳି ଯାଇଛି ଅନୁଭବୀ ବ୍ୟାଟର ଶିଖର ଧାୱନଙ୍କ କମ୍ବ୍ୟାକ୍ ଆଶା । ବହୁ ଦିନରୁ ଟିମ ଇଣ୍ଡିଆରୁ ଦୂରରେ ରହିଥିବା ଏହି ଅନୁଭବୀ ବ୍ୟାଟରଙ୍କ ନେତୃତ୍ବରେ ଏକ ଦଳ ଏସିଆନ୍ ଗେମ୍ସକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଯୁବ ତାରକା ଋତୁରାଜ ଗାଏକ୍ୱାଡଙ୍କ କାନ୍ଧରେ ଏହି ବଡ଼ ଦାୟିତ୍ବ ଦେଇଛି ବିସିସିଆଇ । ତେବେ ସ୍କ୍ବାଡ୍ରେ ଧାୱନଙ୍କୁ ସାମିଲ ମଧ୍ୟ କରାଯାଇନାହିଁ ।
ଗତକାଲି (ଶୁକ୍ରବାର) ୧୯ ତମ ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ଦଳ ଘୋଷଣା କରିଛି । ଯୁବ ଓପନର ଋତୁରାଜ ଗାଏକ୍ୱାଡଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଛି ବିସିସିଆଇ । ଅନ୍ୟପଟେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂହ, ପ୍ରଭସିମ୍ରନ୍ ସିଂହ, ଜିତେଶ ଶର୍ମା ଓ ତିଲକ୍ ବର୍ମାଙ୍କ ଭଳି ଖେଳାଳୀଙ୍କୁ ମଧ୍ୟ ଭାରତୀୟ ଦଳରେ ସ୍ଥାନ ମିଳିଛି । ଭାରତରେ ଅକ୍ଟୋବର ମାସରେ ବିଶ୍ବକପ ଆୟୋଜନ ହେବାକୁ ଥିବାରୁ ବରିଷ୍ଠ ଖେଳାଳୀ ମାନେ ଏହି ପ୍ରତିଯୋଗୀତାରୁ ଦୂରରେ ରହିବେ । ଏହି କାରଣରୁ ଗାଏକ୍ୱାଡଙ୍କ ନେତୃତ୍ବରେ ଏହି ଯୁବ ଦଳ ଭାରତ ପାଇଁ ଏସିଆନ୍ ଗେମ୍ସରେ ପ୍ରତିନିଧିତ୍ବ କରିବେ ।
ତେବେ ଆସନ୍ତା ସେପ୍ଟେମ୍ବର ମାସରେ ଏସିଆନ୍ ଗେମ୍ସ ଖେଳାଯିବାକୁ ଅଛି । ଭାରତ ପ୍ରଥମ ଥର ପାଇଁ ନିଜର କ୍ରିକେଟ୍ ଟିମ୍ ଏହି ପ୍ରତିଯୋଗିତାକୁ ପଠାଇବ । ତେବେ ଏସିଆନ୍ ଗେମ୍ସରେ ଭାରତ ଅନୁଭବୀ ବ୍ୟାଟର ଶିଖର ଧାୱନଙ୍କ ନେତୃତ୍ବରେ ପ୍ରତିଯୋଗିତାକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସେ ସବୁ ଚର୍ଚ୍ଚାକୁ ପଛରେ ପକାଇ ଋତୁରାଜଙ୍କୁ ଦଳର ନୂଆ ଅଧିନାୟକ ନିଯୁକ୍ତ କରିଛନ୍ତି ଚନକର୍ତ୍ତା । ଏଠାରେ ପ୍ରକାଶ ଥାଉ କି, ଏସିଆନ୍ ଗେମ୍ସରେ ତୃତୀୟ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଛି । ପୂର୍ବରୁ ଭାରତ ନିଜର କ୍ରିକେଟ୍ ଟିମ୍କୁ ଏହି ପ୍ରତିଯୋଗିତାକୁ ପଠାଇନଥିଲା । କ୍ରିକେଟ୍ରେ ଗତ ଦୁଇଟି ଯାକ ଏସିଆନ୍ ଗେମ୍ସ ଇଭେଣ୍ଟରେ ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କା ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଚମ୍ପିଆନ୍ ହେଉଥିଲେ । ଏଥର କିନ୍ତୁ ଭାରତୀୟ ଦଳ ଗୋଲ୍ଡ ମେଡଲ ହାସଲ କରିବ ବୋଲି ଆଶା ରଖିଛନ୍ତି ଚୟନକର୍ତ୍ତା ।