ଇଂଲଣ୍ଡ: ବାଲେଶ୍ବର ବାହାନଗା ନିକଟରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଏବେ ମଧ୍ୟ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାକୁ ନେଇ ଦେଶ ବିଦେଶରୁ ଛୁଟିଥିଲା ସମବେଦନାର ସୁଅ । ସେପଟେ ଆଜିଠାରୁ ଇଂଲଣ୍ଡର 'ଦ ଓଭାଲ'ରେ ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ୍ ଚମ୍ପିନ୍ସିପ୍ ଫାଇନାଲ୍ । ପ୍ରଥମ ଦିନ ଖେଳ ଆରମ୍ଭ ପୂର୍ବରୁ ଏହି ରେଳ ଦୁର୍ଘଟଣାରେ ମୃତାହତଙ୍କ ଉଦ୍ଦେଶ୍ୟରେ କିଛି ସମୟ ନୀରବ ପ୍ରାର୍ଥନା କରିଥିଲେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳର ସମସ୍ତ ଖେଳାଳୀ ।
ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିବା ଭୟଙ୍କର ବାହାନଗା ଟ୍ରେନ ଦୁର୍ଘଟଣାର ଯନ୍ତ୍ରଣା ଏବେ ବି ଛାତି ଚିରି ପକାଉଛି । ଦୁର୍ଘଟଣା ସମୟରେ ରକ୍ତରଞ୍ଜିତ ହୋଇଯାଇଥିଲା ବାହାନଗା ମାଟି । କେହି କିଛି ବୁଝିବା ଆଗରୁ ସବୁ କିଛି ଛାରଖାର ହୋଇଯାଇଥିଲା । ବଗି ଓଲଟି ଚାରିଆଡେ ଗଦା ହୋଇଯାଇଥିଲା କୁଢ କୁଢ ମୃତଦେହ । ଲିଭିଯାଇଥିଲା ଅନେକ ଜୀବନ ଦୀପ । ଜୀବନ ବଞ୍ଚାଇବା ପାଇଁ ଚାରିଆଡେ ଶୁଭୁଥିଲା ଏକ ବିକଳ ଚିତ୍କାର । ସରକାରୀ ରିପୋର୍ଟ ଅନୁସାରେ ଏହି ଭୟଙ୍କର ଦୃଦୟବିଦାରକ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ମୋଟ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତଦେହ ଚିହ୍ନଟ ପ୍ରକ୍ରିୟା ସରିନାହିଁ । କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବେ ବେଳେ ଏବେ ମଧ୍ୟ ଅନେକ ଆହତ ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ଅଛନ୍ତି ।